Odia News Portal

ରଥକାଠ ଅନୁକୂଳ ପାଇଁ ନୟାଗଡ଼ ଗଲା ମାଳ, ମାହାର୍ଦ୍ଦ

ରଥଯାତ୍ରାର ଆଦ୍ୟ ପର୍ବ ଆଜିଠାରୁ ଆରମ୍ଭ ‌ହୋଇଛି। ଆସନ୍ତାବର୍ଷ ରଥଯାତ୍ରା ପାଇଁ ଆବଶ୍ୟକ ରଥକାଠ କାଟିବାକୁ ଅନୁମତି ଦେବା ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନର ୩ଜଣିଆ ଦଳ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ, ଲାଗି ଖଣ୍ଡୁଆ, ନଡ଼ିଆ ଆଦି ନେଇ ଆଜି ନୟାଗଡ଼ ଗସ୍ତ କରିଛନ୍ତି। ନୟାଗଡ଼ ବନଖଣ୍ଡ ଅଧିକାରୀଙ୍କୁ ଭେଟି ରଥକାଠ ଅନୁକୂଳର ପୂର୍ବପ୍ରସ୍ତୁତି ଆରମ୍ଭ କରିଛନ୍ତି। ପ୍ରତିବର୍ଷ ଭଳି ଆସନ୍ତାକାଲି ମଙ୍ଗଳବାର ନୟାଗଡ଼ ବନଖଣ୍ଡ ଅଧୀନ ଗଣିଆ ବନାଞ୍ଚଳ ବଡ଼ମୂଳସ୍ଥିତ ବନଦେବୀ ବଡ଼ରାଉଳ ଠାକୁରାଣୀଙ୍କ ପୀଠରେ ଭବ୍ୟ ପୂଜାର ଆୟୋଜନ କରାଯାଇଛି। ଏହି ଅବସରରେ ବଡ଼ରାଉଳ ଠାକୁରାଣୀଙ୍କୁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଦ ସହ ଲାଗି ଖଣ୍ଡୁଆ, ନଡ଼ିଆ ଆଦି ସମର୍ପଣ କରାଯିବ ଏବଂ ନୟାଗଡ଼ ବନଖଣ୍ଡରୁ ରଥଯାତ୍ରାରେ ତିନିରଥ ପାଇଁ ଆବଶ୍ୟକ କାଠ କାଟିବାର ଅନୁମତି ମଗାଯିବ।

ଏହି ଉପଲକ୍ଷେ ଆଜି ଶ୍ରୀମନ୍ଦିର ପ୍ରଶାସନର ପ୍ରତିନିଧି ଭାବେ ରଥର ବରିଷ୍ଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର ଓ ଭୋଇ ସର୍ଦ୍ଦାର ରବି ଭୋଇ ମାଳ, ମାହାର୍ଦ୍ଦ ଆଦି ନେଇ ନୟାଗଡ଼ ଯାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ ଅସନ, ଧଉରା, ଫାସି, ଶିମିଳି କାଠର ଆବଶ୍ୟକ ଥିବାବେଳେ ଗତବର୍ଷର ୫୧ ଖଣ୍ଡ କାଠ ବଳି ପଡ଼ିଛି। ଏହା ଭଲ ଥିବାରୁ ଚଳିତବର୍ଷ ନୟାଗଡ଼ ବନଖଣ୍ଡରୁ ୮୧୪ ଖଣ୍ଡ କାଠ କାଟିବାକୁ ନିଷ୍ପତ୍ତି ହୋଇଛି।