ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା । ରାସନକାର୍ଡରୁ ହଟିବ ବିଦେଶୀଙ୍କ ନାଁ । ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଖୁବଶୀଘ୍ର ରାସନକାର୍ଡରୁ ବିଦେଶୀଙ୍କ ନାଁ କଟାଯିବ ବୋଲି ସୂଚନା ଦେଇଛନ୍ତି ।
ବିଦେଶୀ ପାଇଛନ୍ତି ରାସନ କାର୍ଡ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସମ୍ପୂର୍ଣ୍ଣ ସତ । ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ମିଆଁମାର ଲୋକ ହାତେଇଛନ୍ତି ରାସନ କାର୍ଡ । ଏହା ଜାଣିବା ପରେ ତତ୍ପର ହୋଇଛି ପ୍ରଶାସନ । ଏନେଇ ଯୋଗାଣମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯେଉଁ ବିଦେଶୀମାନେ ରାସନ କାର୍ଡ ପାଇଛନ୍ତି ସେମାନଙ୍କ ନାଁ ରାସନ କାର୍ଡରୁ କଟିବ ।
ଓଡିଶାକୁ ଅନୁପ୍ରବେଶ କରି ରାସନ କାର୍ଡ ହାତେଇଥିବା ବିଦେଶୀକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛି ବିଭାଗ । ପାକିସ୍ତାନ, ବାଂଲାଦେଶ, ମିଆଁମାରର ଅନେକ ବିଦେଶୀ ରାସନ କାର୍ଡ ହାତେଇଥିବା ଜଣା ପଡ଼ିଛି । ଏଥିପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡରୁ ନାଁ କଟାଯିବ । ଯିଏ ବି ରାଜନୈତିକ ଚାପ କିମ୍ବା ଅନ୍ୟ ଉପାୟରେ ରାସନ କାର୍ଡ ହାତେଇଛନ୍ତି ସେମାନଙ୍କୁ ତୁରନ୍ତ ଚିହ୍ନଟ କରି କାଟିବାକୁ କୁହାଯାଇଛି । ପ୍ରକ୍ରିୟା ସରିଲେ ସଂଖ୍ୟା ସାମ୍ନାକୁ ଆସିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।