Odia News Portal

ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ, ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ । ସରକାର ଏବେ ସୁଦ୍ଧା ୨୭ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍‌ ଟନ୍‌ ଧାନ କିଣିସାରିଲେଣି । ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇସାରିଲେଣି । ଏଯାବତ୍‌ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ସହ ୭୩୭୯ କୋଟି ଟଙ୍କା ଦେଇସାରିଲେଣି ରାଜ୍ୟ ସରକାର । 

ତେବେ ମଣ୍ଡିରେ ପ୍ୟାଡି ଆନାଲାଇଜର ମେସିନ୍‌ ଯଥେଷ୍ଟ ନଥିବା କଥା ମାନିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଏବେ ଆମ ପାଖରେ ଆନାଲାଇଜର ମେସିନ୍‌ କମ୍‌ ଅଛି । ଆଗକୁ ଏହି ସଂଖ୍ୟାକୁ ବୃଦ୍ଧି କରିବୁ । ଯାହାଦ୍ୱାରା ଚାଷୀମାନଙ୍କୁ ଆଗାମୀ ଦିନରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । 

ସେହିପରି ଯୋଗାଣ ଅଧିକାରୀଙ୍କୁ ଚେତାବନୀ ଦେଇ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଦାୟିତ୍ଵରେ ଅବହେଳା କଲେ କିମ୍ଵା ଅଧିକାରୀଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ଆସିଲେ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ନିକଟରେ ଦାୟିତ୍ୱରେ ଅବହେଳା ପାଇଁ ଜଗତସିଂହପୁର ପାରାଦ୍ୱୀପ ଏମଆଇଙ୍କୁ ନିଲମ୍ବନ କରାଯାଇଛି। ଆଗକୁ ଯେଉଁଠି ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆସିବ , ସେଠାରେ କାର୍ଯ୍ୟାନୁଷ୍ଠାନ ହେବ।