ଯୁଦ୍ଧ କୌଣସି ସମସ୍ୟାର ସମାଧାନ ନୁହେଁ । ତେଣୁ ପ୍ରତ୍ୟେକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଲାଗି ଗୁରୁତ୍ବ ଦିଆଯାଉ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍ ଶିଖର ସମ୍ମିଳନୀରେ ଉପସ୍ଥିତ ନେତାଙ୍କୁ କହିଛନ୍ତି। ଆମେରିକାର ୱିଲମିଙ୍ଗଟନ ସହରରେ ଆୟୋଜିତ ଏହି ସମ୍ମିଳନୀର ଉଦ୍ଘାଟନୀ ବକ୍ତବ୍ୟରେ ମୋଦୀ କହିଛନ୍ତି ଯେ ଆମର ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ବିଶ୍ୱ ଉତ୍ତେଜନା ଓ ସଂଘର୍ଷ ଦ୍ୱାରା ପ୍ରଭାବିତ। ଏଭଳି ପରିସ୍ଥିତିରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଆଧାରରେ କ୍ୱାଡ କାର୍ୟ୍ୟ କରିବା ସମଗ୍ର ମାନବଜାତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ କାହାର ବିରୋଧ କରୁ ନାହୁଁ। ଆମେ ସମସ୍ତେ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥା, ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ପ୍ରତି ସମ୍ମାନ ସହିତ ସମସ୍ତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ। ମୁକ୍ତ, ଉନ୍ମୁକ୍ତ, ସମାବେଶୀ ଓ ସମୃଦ୍ଧ ଭାରତ-ପ୍ରଶାନ୍ତ ମହାସାଗର ଆମର ମିଳିତ ପ୍ରାଥମିକତା ଏବଂ ମିଳିତ ପ୍ରତିବଦ୍ଧତା। ସ୍ୱାସ୍ଥ୍ୟ ସୁରକ୍ଷା, ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଜଳବାୟୁ ପରିବର୍ତ୍ତନ, ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଆମେ ଅନେକ ସକାରାତ୍ମକ ଓ ବ୍ୟାପକ ପଦକ୍ଷେପ ନେଇଛୁ। ଆମର ବାର୍ତ୍ତା ହେଉଛି କ୍ୱାଡ୍ ସାହାଯ୍ୟ କରିବାକୁ, ଅଂଶୀଦାର କରିବାକୁ ଏବଂ ମିଳିତ ଭାବରେ କାର୍ୟ୍ୟ କରିବାକୁ ରହିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନେତୃତ୍ବରେ କ୍ବାଡ ସମ୍ମିଳନୀ ଆୟୋଜିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ମୋଦୀ କହିଥିଲେ ଯେ ଏହି ଶିଖର ସମ୍ମିଳନୀ ଆୟୋଜନରେ ଆପଣଙ୍କର (ବାଇଡେନ)ଙ୍କ ବ୍ୟକ୍ତିଗତ ଭୂମିକା ରହିଛି। ଆପଣଙ୍କର ଦୃଢ଼ ପ୍ରତିବଦ୍ଧତା, ଆପଣଙ୍କ ନେତୃତ୍ୱ ଏବଂ କ୍ୱାଡ୍ ରେ ଆପଣଙ୍କ ଅବଦାନ ପାଇଁ ମୁଁ ଆପଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି। ୨୦୨୧ରେ ମଧ୍ୟ ବାଇଡେନଙ୍କ ନେତୃତ୍ବରେ ପ୍ରଥମ କ୍ବାଡ ଶିଖର ସମ୍ମିଳନୀ ଆୟୋଜନ ହୋଇଥିଲା। ବାଇଡେନଙ୍କ ସହିତ କ୍ବାଡର ସମସ୍ତ ସହଯୋଗୀ ରାଷ୍ଟ୍ରଙ୍କୁ ମଧ୍ୟ ମୋଦୀ ଅଭିନନ୍ଦନ ଜଣାଇଥିଲେ। ୨୦୨୫ରେ ଭାରତରେ କ୍ୱାଡ୍ ଶିଖର ସମ୍ମିଳନୀ ଆୟୋଜନ କରିବ। କ୍ବାଡ ଶିଖର ସମ୍ମିଳନୀ ଅବସରରେ ଜରାୟୁ କର୍କଟର ଚିକିତ୍ସା ଲାଗି କ୍ୟାନସର ମୁନସଟ୍ ନାମରେ ଏକ କାର୍ୟ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ ମଧ୍ୟ ମୋଦୀ ସମ୍ବୋଧନ କରିଥିଲେ। ଏହି ସମ୍ମିଳନୀରେ କ୍ବାଡ ରାଷ୍ଟ୍ରନେତାମାନେ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ କର୍କଟ ରୋଗର ଚିକିତ୍ସା ନିମନ୍ତେ ପରସ୍ପରର ସହଯୋଗ କରିବା ପୂର୍ବକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ଇକୋସିଷ୍ଟମ୍ ସ୍ଥାପନ କରିବେ। ଏହି ବ୍ୟବସ୍ଥା ଦ୍ବାରା ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ଦୃଢ କରାଯିବା ସହ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ପ୍ରକାର ଗବେଷଣା ଓ ତଥ୍ୟ ଆଦାନ ପ୍ରଦାନ କରାଯିବ। ବିଶେଷକରି କର୍କଟ ରୋଗକୁ ଚିହ୍ନଟ, ଚିକିତ୍ସା, ପ୍ରତିକାର କ୍ଷେତ୍ରରେ କ୍ବାଡ ରାଷ୍ଟ୍ର ଗୋଷ୍ଠୀ ମିଳିତ ଭାବେ କାର୍ୟ୍ୟ କରିବେ। ଜରାୟୁ କର୍କଟକୁ ଟିକା ଦ୍ବାରା ପ୍ରତିରୋଧ କରାଯାଇପାରିବ। ଏହାକୁ ଆଗୁଆ ଚିହ୍ନଟ କରାଯାଇପାରିଲେ ଚିକିତ୍ସା କରିବା ସହଜ। ତେବେ ଏହାକୁ ଆଗୁଆ ଚିହ୍ନଟ କରାଯାଇପାରୁ ନଥିବାର ଜରାୟୁ କକର୍ଟ ରୋଗରେ ସର୍ବାଧିକ ମହିଳାଙ୍କର ମୃତ୍ୟୁ ହେଉଛି। ଏହି କର୍କଟ ରୋଗ ବିଶ୍ବର ତୃତୀୟ ବୃହତ କର୍କଟ ଜନିତ ମୃତ୍ୟୁ। ଏପରିକି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପ୍ରତି ୧୦ଜଣରେ ଜଣେ ମହିଳା କର୍କଟ ରୋଗରେ ପ୍ରାଣ ହରାଉଛନ୍ତି। ଉତ୍ତମ ସ୍ବାସ୍ଥ୍ୟସେବା ଅଭାବ କାରଣରୁ ଏହି କର୍କଟ ରୋଗରେ ମହିଳାଙ୍କର ମୃତ୍ୟୁ ହେଉଛି। ତେବେ ଆଗାମୀ ଦିନରେ କ୍ବାଡ ରାଷ୍ଟ୍ରଗୋଷ୍ଠୀ ଏହି ଅଭାବକୁ ଦୂର କରିବା ଦିଗରେ କାର୍ୟ୍ୟ କରିବେ ବୋଲି ସମ୍ମତି ପ୍ରକାଶ କରିଛନ୍ତି। ଏହାଦ୍ବାରା ୨୦୪୭ ସୁଦ୍ଧା ୪୦ଲକ୍ଷ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିବ। କ୍ୟାନସର ମୁନସଟ୍ରେ ସହଯୋଗ ଲାଗି ଭାରତ ଡିଜିଟାଲ ହେଲଥରେ ନିଜର ବୈଷୟିକ ଦକ୍ଷତାକୁ ଯୋଗାଇଦେବ।