Odia News Portal

ମୋହନଙ୍କ ମନ୍ତ୍ରିମଣ୍ଡଳରେ କିଏ ? ତାଲିକାରେ ଅଭିଜ୍ଞଙ୍କ ସହ ବହୁ ନୂଆ ମୁହଁ

ଓଡ଼ିଶା ରାଜନୈତିକ ଇତିହାସରେ ନୂଆ ଅଧ୍ୟାୟ ଲେଖାଯିବ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ । ଉପମୁଖ୍ୟମନ୍ତ୍ରୀ ହେବେ କନକବର୍ଦ୍ଧନ ସିଂହଦେଓ ଏବଂ ପ୍ରଭାତୀ ପରିଡ଼ା । ସାଥୀରେ ଶପଥ ନେବେ ମୋହନ ସରକାରଙ୍କ ନୂଆ ମନ୍ତ୍ରିମଣ୍ଡଳ । କିଏ ରହିବେ ମୋହନଙ୍କ ମନ୍ତ୍ରିମଣ୍ଡଳରେ, ଏହାକୁ ନେଇ ଚର୍ଚ୍ଚା ପ୍ରବଳ ।

ରାଜ୍ୟ ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ସର୍ବାଧିକ ୨୨ଜଣ ରହିପାରିବେ। ମୋହନ, କେଭି, ପ୍ରଭାତୀଙ୍କ ନାମ ଘୋଷଣା ସରିଛି । ଅତିବେଶିରେ ଆଉ ୧୯ଜଣଙ୍କୁ ଟିମ୍ରେ ସାମିଲ କରିପାରିବେ ମୋହନ।

ସମ୍ଭାବ୍ୟ କ୍ୟାବିନେଟ ମନ୍ତ୍ରୀ ତାଲିକାରେ ସୁରେଶ ପୂଜାରୀ, ଜୟନାରାୟଣ ମିଶ୍ର, ସୁରମା ପାଢ଼ୀ, ପୃଥ୍ୱୀରାଜ ହରିଚନ୍ଦନ, ପଦ୍ମଲୋଚନ ପଣ୍ଡା, ସିଦ୍ଧାନ୍ତ ମହାପାତ୍ର, ସୁରଜ ସୂର୍ଯ୍ୟବଂଶୀ, ରବି ନାଏକ, ମୁକେଶ ମହାଲିଙ୍ଗ, ସଞ୍ଜଳି ମୁର୍ମୁ ପ୍ରମୁଖଙ୍କୁ ସ୍ଥାନ ମିଳିପାରେ । ଏହାବାଦ୍ ବି କିଛି ସରପ୍ରାଇଜ୍ ଚେହେରାଙ୍କୁ ସ୍ଥାନ ଦେଇପାରନ୍ତି ମୋହନ । ମନ୍ତ୍ରୀ ଦୌଡ଼ରେ ଆହୁରି ଅନେକ ପୁରୁଣା ଓ ନୂଆ ମୁହଁ ଚର୍ଚ୍ଚାରେ ଅଛନ୍ତି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇ ରାଜ୍ୟରେ ଚହଳ ଖେଳାଇଥିବା ଲକ୍ଷ୍ମଣ ବାଗ ବି ଅନ୍ୟତମ ଦାବିଦାର । ଯୁବ ମୁହଁ ଭାବେ ଝାରସୁଗୁଡ଼ାରୁ ଟଙ୍କଧର ତ୍ରିପାଠୀ ଆଶା ବାନ୍ଧିଛନ୍ତି । ତଳସରାରୁ ବରିଷ୍ଠ ବିଧାୟକ ଭବାନୀ ଶଙ୍କର ଭୋଇ, ଗୋପାଳପୁରରୁ ବିଭୂତି ଜେନା ଓ ଖଲ୍ଲିକୋଟରୁ ପୂର୍ଣ୍ଣଚନ୍ଦ୍ର ସେଠୀ ଚର୍ଚ୍ଚାରେ ଅଛନ୍ତି । କୋରାପୁଟରେ ପଦ୍ମ ଫୁଟାଇଥିବା ରଘୁରାମ ମାଛ, ଉମରକୋଟର ନିତ୍ୟାନନ୍ଦ ଗଣ୍ଡ ଓ ମାଲକାନଗିରିର ନରସିଂହ ମାଡ଼କାମୀ ବି ମନ୍ତ୍ରୀ ଦୌଡ଼ରେ ଅଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ଭାସ୍କର ମଢ଼େଇ ଓ ପ୍ରକାଶ ସୋରେନଙ୍କ ନାମ ସମ୍ଭାବ୍ୟ ତାଲିକାରେ ଥିବା କୁହାଯାଉଛି । ଯାଜପୁର ଜିଲ୍ଲାରେ ଏଥର ବିଜେପି କମାଲ୍ କରିଛି । କୋରେଇରୁ ଜିତିଥିବା ଆକାଶ ଦାସ ନାୟକ ଓ ବଡ଼ଚଣାର ଅମର ନାୟକ ବି ମନ୍ତ୍ରୀ ଦାବିଦାର ।

ଜଗତସିଂହପୁର ଜିଲ୍ଲାରୁ ନୂଆମୁହଁ ଅମରେନ୍ଦ୍ର ଦାସଙ୍କୁ ମନ୍ତ୍ରୀ ପଦ ମିଳିପାରେ । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ବି ମନ୍ତ୍ରୀ ଦୌଡ଼ରେ ଅଛନ୍ତି । ପ୍ରଥମ ଥର ପାଇଁ ରାଜଧାନୀରୁ ବିଜେପି ଗୋଟିଏ ଆସନ ଜିତିଛି । ତେଣୁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି । କଟକ ଲୋକସଭା କ୍ଷେତ୍ରରେ ଏଥର କଟକ ସଦର ଓ ଖଣ୍ଡପଡ଼ାରୁ ବିଜେପିରୁ ଦୁଇଜଣ ନବାଗତ ଜିତିଛନ୍ତି । ମନ୍ତ୍ରୀ ଦୌଡ଼ରେ ଖଣ୍ଡପଡ଼ାର ଦୁଷ୍ମନ୍ତ ସ୍ୱାଇଁଙ୍କ ସମ୍ଭାବନା ଅଧିକ ବୋଲି କୁହାଯାଉଛି । ସେହିପରି ଢେଙ୍କାନାଳ ସଂସଦୀୟ କ୍ଷେତ୍ରରୁ କୃଷ୍ଣଚନ୍ଦ୍ର ପାତ୍ର, ବିଭୂତି ପ୍ରଧାନ ଓ ସୀମାରାଣୀ ନାୟକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ୩ଜଣ ସ୍ୱାଧୀନ ବିଧାୟକ ବି ବିଜେପିକୁ ସମର୍ଥନ ଦେଇଛନ୍ତି । ସ୍ୱାଧୀନ ବିଧାୟକଙ୍କୁ ଦଳରେ ମିଶାଇବା ସହ ସରପ୍ରାଇଜ୍ କାର୍ଡ ଭାବେ ବିଜେପି ସେଥିରୁ ଜଣଙ୍କୁ ମନ୍ତ୍ରୀ ପଦ ଦେଇପାରେ ।