ନିର୍ବାଚନରେ ବିଜେପିକୁ ଓଡ଼ିଶାବାସୀ କ୍ଷମତାର ଡ଼ୋର ଧରାଇଛନ୍ତି । ବିଜେପି ପ୍ରଚାର ସମୟରେ ଯେତେ ଦାବି ଉଠିଥିଲେ ବି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନଥିଲା । ଏବେ ଜିତିଲା ପରେ କିଏ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାକୁ ନେଇ ଚାଲିଛି ଆଲୋଚନା ଓ ପର୍ଯ୍ୟାଲୋଚନା । ବାସ୍ତବ କ୍ଷେତ୍ରରେ କିଏ ମୁଖ୍ୟମନ୍ତ୍ରୀ ହେବେ ଏ ନେଇ ରାଜ୍ୟ ନେତାମାନେ ବି ନିଶ୍ଚିତ ନୁହଁନ୍ତି । ସବୁକିଛି ନିର୍ଭର କରୁଛି ମୋଦୀଙ୍କ ଉପରେ । ମୋଦୀ ଯାହାକୁ ଚାହିଁବେ ସେ ହିଁ ମୁଖ୍ୟମନ୍ତ୍ରୀ ହେବେ । ହେଲେ ଏବେ ବିଭିନ୍ନ ନା’କୁ ନେଇ ଚର୍ଚ୍ଚା ଚାଲିଛି । ମୁଖ୍ୟମନ୍ତ୍ରୀ ହେବା ପାଇଁ କାହାର ବା ଆଶା ନଥିବ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଏକାଧିକ ନାମ ଆଲୋଚନା ହେଉଛି । ଆଲୋଚନା ହେଉଥିବା ନା’ ମଧ୍ୟରୁ ଆଗ ଧାଡ଼ିରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଓ ମନମୋହନ ସାମଲ ବୋଲି ଦଳର କିଛି ନେତା କହୁଛନ୍ତି । ଏବେ ବିଜେପିର ନବ ନିର୍ବାଚିତ ସମସ୍ତ ସାଂସଦ ପାର୍ଥୀ ଓ କେତେ ଜଣ ବିଧାୟକ ଏବଂ ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ବୋଧହୁଏ ସେମାନଙ୍କ ମଧ୍ୟରୁ କେତେକ ଆଜି ଫେରିବାର ଅଛି ।
ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଗତକାଲି ଏକ ନୈଶ ଭୋଜିର ଆୟୋଜନ କରିଥିଲେ । ଏଥିରେ ରାଜ୍ୟର ଅଧିକାଂଶ ସାଂସଦ, ଦିଲ୍ଲୀରେ ଥିବା ବିଧାୟକ, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଓଡ଼ିଶା ପ୍ରଭାରୀ ଉପସ୍ଥିତ ଥିବା କଥା କୁହାଯାଉଛି । ଏହି ଭୋଜିରେ କୌଣସି ରାଜନୈତିକ ଆଲୋଚନା ହୋଇ ନଥିବା ଜଣାପଡ଼ୁଛି । ମୁଖ୍ୟମନ୍ତ୍ରୀ କଥା ମଧ୍ୟ ଉଠି ନଥିବା ଏହା ବି କୁହାଯାଉଛି । ସମସ୍ତେ ଯୋଗଦେଇ ହସ ଖୁସିରେ ଖିଆପିଆ କରିଥିଲେ । ଏହା ମାଧ୍ୟମରେ ଧର୍ମେନ୍ଦ୍ର ଏକ ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି ଯେ ରାଜ୍ୟର ସବୁ ନେତାମାନେ ତାଙ୍କ ସହ ଅଛନ୍ତି ଓ ସେ ସମସ୍ତଙ୍କୁ ନେଇ ଦଳକୁ ଆଗେଇ ନେବେ । ନିର୍ବାଚନ ସମୟରେ ଯଦିଓ ଧର୍ମେନ୍ଦ୍ରଙ୍କୁ ଦଳ ରାଜ୍ୟର ମୁଖ୍ୟ ଭାବରେ ଉପସ୍ଥାପନ କରିନଥିଲା ତଥାପି ଅନେକ ଦିନରୁ ଲୋକଙ୍କ ମନରେ ଧାରଣା ରହିଛି ଧର୍ମେନ୍ଦ୍ର ହିଁ ଓଡ଼ିଶା ବିଜେପିର ଚେହେରା । ଏପରିକି ନିର୍ବାଚନ ପ୍ରଚାର ସମୟରେ ବିଜେଡି ପକ୍ଷରୁ ଯେତେବେଳେ ବି ବିଜେପିକୁ ଆକ୍ରମଣ କରାଯାଇଛି ସେଥିରେ ଆଗଧାଡ଼ିରେ ରହିଛନ୍ତି ଧର୍ମେନ୍ଦ୍ର । ପ୍ରଧାନମନ୍ତ୍ରୀ ଯେତେବେଳେ ବିଜେପିର ମୁଖ୍ୟମନ୍ତ୍ରୀ ଜୁନ୍ ୧୦ରେ ଶପଥ ନେବେ ବୋଲି ଘୋଷଣା କଲେ ସେ ସମୟରେ ଧର୍ମେନ୍ଦ୍ରଙ୍କୁ ବିଜେଡିର ପ୍ରମୁଖ ପ୍ରଚାରକ ଭାବେ ମଙ୍ଗ ଧରିଥିବା ଭି.କେ. ପାଣ୍ଡିଆନ୍ ଟାର୍ଗେଟ କରିଥିଲେ । ବିଜେପି ମୁଖ୍ୟମନ୍ତ୍ରୀ ନହେଲେ ଧର୍ମେନ୍ଦ୍ର ରାଜନୀତିକରୁ ସନ୍ୟାସ ନେବେ କି ବୋଲି ଆହ୍ୱାନ ଜଣାଇଥିଲେ । ଏପରିକି ବିଭିନ୍ନ ସମୟରେ ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କୁ ହିଁ ପାଣ୍ଡିଆନ୍ ଟାର୍ଗେଟ୍ କରି ସମାଲୋଚନା କରୁଥିଲେ । ଅନ୍ୟ କୌଣସି ନେତାଙ୍କ ନା’ ନେଉ ନଥିଲେ । ଧର୍ମେନ୍ଦ୍ର ହିଁ ବିଜେପିର ଚେହେରା ବୋଲି ଦର୍ଶାଉଥିଲେ ।
ରାଜ୍ୟରେ ବି ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର୍ ଧରିଛି । କିନ୍ତୁ ଧର୍ମେନ୍ଦ୍ରଙ୍କ ପାଇଁ ଗୋଟିଏ ଅଡ଼ୁଆ ଅଛି ବୋଲି କୁହାଯାଉଛି । ନିର୍ବାଚନରେ କେନ୍ଦ୍ରରେ ସରକାର ଗଠନ ନେଇ ବିଜେପିକୁ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ମିଳି ନାହିଁ । ଅନ୍ୟ ସହଯୋଗୀ ଦଳକୁ ସାଥିରେ ଧରି ବିଜେପି କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି । ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ହେଲେ ଧର୍ମେନ୍ଦ୍ରଙ୍କୁ ସାଂସଦ ପଦରୁ ଇସ୍ତଫା ଦେବାକୁ ହେବ । ସେ ଇସ୍ତଫା ଦେଲେ ସମ୍ବଲପୁରରେ ଉପ ନିର୍ବାନ ହେବ । ଉପ ନିର୍ବାଚନ ହେଲେ ଯଦି ଏହି ଆସନଟି ବିଜେପି ହରାଏ ତେବେ ଦଳ ପାଇଁ ସମସ୍ୟା ଆଣିବ । ଏ ଭୟ ହୁଏତ ଧର୍ମେନ୍ଦ୍ରଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିପାରେ ବୋଲି କୁହାଯାଉଛି । ରାଜ୍ୟରେ ବିଜେପି ସରକାରରେ ଥିବାରୁ ଉପନିର୍ବାଚନ ଜିତିବାରେ କିଛି ସମସ୍ୟା ହୋଇ ନପାରେ ବୋଲି କୁହାଯାଉଛି । ହେଲେ ମୋଦୀଙ୍କ ଉପରେ ହିଁ ସବୁ କିଛି ନିର୍ଭର କରୁଛି ।
ମନମୋହନ ସାମଲଙ୍କ ନା’କୁ ନେଇ ଅନେକ ମଧ୍ୟ ଚର୍ଚ୍ଚା କରୁଛନ୍ତି । ବିଜେପିର କିଛି ନେତୃବୃନ୍ଦ କହୁଛନ୍ତି ଓଡ଼ିଶାରେ ମନମୋହନଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ିଥିଲା । ବିଜେଡି ସହ ମେଣ୍ଟ ପାଇଁ ଅନେକ କସରତ ହୋଇଥିଲା । କିନ୍ତୁ ମନମୋହନ ହିଁ ମେଣ୍ଟକୁ ବିରୋଧ କରିଥିଲେ । ବିଜେପି ଏକାକୀ ଲଢ଼ିବା ପାଇଁ ସେ ଯୁକ୍ତି ଦର୍ଶାଉ ଥିଲେ । ବିଭିନ୍ନ ସମୟରେ ମତ ଦେଇ ବିବାଦରେ ମଧ୍ୟ ଫସିଥିଲେ । ତାଙ୍କ ଉଦ୍ୟମ ପାଇଁ ହିଁ ବିଜେପି ରାଜ୍ୟରେ ଏକାକୀ ନିର୍ବାଚନ ଲଢ଼ିଲା । ଆରମ୍ଭରୁ ସେ କହି ଆସୁଥିଲେ ଯେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ ଓ ସରକାର ଗଠନ କରିବ । ସେ ସଭାପତି ହେଲା ପରେ ହିଁ ବିଜେପିର କାର୍ଯ୍ୟଧାରାରେ ପରିବର୍ତ୍ତନ କରାଯାଇଥିଲା । ଏବଂ ବିଜେଡି ସରକାରକୁ ଶାଣିତ ଆକ୍ରମଣ ଆରମ୍ଭ ହୋଇଥିଲା । ଲୋକଙ୍କ ମନରେ ବିଜେଡି ବିରୋଧୀ ହାୱା ସୃଷ୍ଟି କରିବା ପାଇଁ ମନମୋହନଙ୍କ ଉଦ୍ୟମରେ କରାଯାଇଥିଲା । ଏଣୁ ସେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଉପଯୁକ୍ତ ଦାବିଦାର ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି । କିନ୍ତୁ ନିର୍ବାଚନରେ ମନମୋହନ ହାରି ଯାଇଛନ୍ତି । ସଭାପତି ଭାବେ ନିର୍ବାଚନ ହାରିଯିବା ଘଟଣାକୁ ଗୁରୁତ୍ୱ ଦିଆଯାଉଛି । ହେଲେ ନିର୍ବାଚିତ ନ ହୋଇଥିଲେ ବି ମୁଖ୍ୟମନ୍ତ୍ରୀ ହେବାରେ କିଛି ଅସୁବିଧା ନାହିଁ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମୁଖ୍ୟମନ୍ତ୍ରୀ ହେବାର ୬ମାସ ମଧ୍ୟରେ ବିଧାୟକ ଭାବେ ନିର୍ବାଚିତ ହେବାକୁ ପଡ଼ିବ । ଦଳର କେହି ଜଣେ ବିଧାୟକ ତାଙ୍କ ପାଇଁ ଇସ୍ତଫା ଦେବେ ଓ ସେହି ଆସନରୁ ସେ ଛିଡ଼ା ହୋଇ ନିର୍ବାଚିତ ହେବେ ।
ହେଲେ କେନ୍ଦ୍ରରେ ଆସନ୍ତାକାଲି ମୋଦୀ ପ୍ରଧାମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବାକୁ ଯାଉଛନ୍ତି । ସେଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା କେନ୍ଦ୍ରମନ୍ତ୍ରୀ ମଣ୍ଡଳର ରୂପ ରେଖ ସ୍ଥିର ହେବାର ଅଛି । ଯଦି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ କରାଯାଏ ତେବେ ଧରି ନେବାକୁ ହେବ ମୁଖ୍ୟମନ୍ତ୍ରୀ ରେସ୍ରୁ ବାଦ୍ ପଡ଼ିଲେ । ଏଥିରେ ମନମୋହନଙ୍କ ପଲା ଭାରି ରହିବ ।
ଆଉ ଏକ ନା’ ଜୋରଦାର୍ ଆଲୋଚନା ହେଉଛି ସେ ହେଉଛନ୍ତି ଗିରୀଶ ମୁର୍ମୁ । ସେ ହେଉଛନ୍ତି ଜଣେ ଆଇଏଏସ୍ ଅଧିକାରୀ । ହଠାତ୍ ସେ ଓଡ଼ିଶା ଆସିଥିବାରୁ ତାଙ୍କୁ ନେଇ ଆଲୋଚନା କରାଯାଉଛି । ସେ ଜଣେ ଆଦିବାସୀ ଏବଂ ନରେନ୍ଦ୍ର ମୋଦୀଙ୍କର ଅତ୍ୟନ୍ତ ବିଶ୍ୱସ୍ତ । କିନ୍ତୁ ତାଙ୍କ ଓଡ଼ିଶା ଗସ୍ତ ପଛରେ କାରଣ ଭିନ୍ନ । ବାସ୍ତବରେ ଓଡ଼ିଶାର ଲୋକେ ବିଜେପିର ସମ୍ପର୍କରେ କ’ଣ ମତ ରଖୁଛନ୍ତି ଏବଂ କାହାକୁ ମୁଖ୍ୟମନ୍ତ୍ରୀ କଲେ ଭଲ ହେବ ସେ ନେଇ ତଥ୍ୟ ସଂଗ୍ରହ କରିବାକୁ ଆସିଥିବା କଥା କୁହାଯାଉଛି । ଇତି ମଧ୍ୟରେ ସେ କିଛି ସାମ୍ବାଦିକ ଓ ଅନ୍ୟ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିବା କଥା ବି ଚର୍ଚ୍ଚା ହେଉଛି ।