ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର, କହିଲେ- ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ନେଇ କୌଣସି ବ୍ୟବସ୍ଥା ନାହିଁ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୋଦୀ ସରକାରଙ୍କ ବିରୋଧରେ ଯାହା ଯାହା ଅଭିଯୋଗ ବାଢ଼ିଥିଲେ ରବିବାର ସାମ୍ବାଦିକ ସମ୍ମିଳନୀରେ ତାର ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ‘ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି, ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତ ଘୋଷଣା କରିବାକୁ ସେ ଦୁଇ ଦୁଇ ଥର କେନ୍ଦ୍ରକୁ ଚିଠି ଲେଖିଛନ୍ତି। ହେଲେ କେନ୍ଦ୍ର ସରକାର ଶୁଣିନାହାଁନ୍ତି। ଏହା କହିବା ମୁଖ୍ୟମନ୍ତ୍ରୀଙ୍କର ଅଜ୍ଞତାକୁ ପଦାରେ ପକାଇଛି। କାରଣ, କୌଣସି ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ନେଇ କୌଣସି ବ୍ୟବସ୍ଥା ନାହିଁ। ୨୦୧୪ରେ ଓଡ଼ିଆ ଭାଷା ଓ ନୃତ୍ୟକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଏହା ଆପେ ଆପେ ଶାସ୍ତ୍ରୀୟ ମାନ୍ୟତା ପାଇସାରିଛି। ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ଓ ଗବେଷଣା ପାଇଁ କେନ୍ଦ୍ର ପକ୍ଷରୁ ୩୪୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।
‘କେବଳ ଏତିକି ନୁହେଁ ୨୦୧୫ ଏପ୍ରିଲରେ ନବକଳେବର ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ୫୦ କୋଟି ଟଙ୍କା ରାଜ୍ୟ ଟ୍ରେଜେରିରେ ଜମା କରିଦେଇଥିଲେ। ଏହା ତାଙ୍କର ମହାପ୍ରଭୁଙ୍କ ପ୍ରତି ଏକ ସେବା ବୋଲି କହିଥିଲେ। ଏହା ପରେ ବି ମୁଖ୍ୟମନ୍ତ୍ରୀ ମୋଦୀଙ୍କର ଓଡ଼ିଶା ପ୍ରତି ପ୍ରତିବଦ୍ଧତା ନାହଁ ବୋଲି କହୁଛନ୍ତି। ଏହା ବାସ୍ତବରେ ଲଜ୍ଜାଜନକ କଥା’ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।