ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା । ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ଭିତରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାର ଏହି ମାମଲାରେ ନିଜର ପକ୍ଷ ରଖିବାକୁ କହିଲେ ସୁପ୍ରିମକୋର୍ଟ । ମୃତ କୁଳମଣି ବରାଳଙ୍କ ପୁଅ ରଂଜିତ ବରାଳ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପ୍ରତାପ ଜେନାଙ୍କୁ ଗତ ଅକ୍ଟୋବର ମାସରେ କ୍ଲିନ୍ଚିଟ୍ ଦେଇଥିଲେ ହାଇକୋର୍ଟ । ପ୍ରତାପଙ୍କ ନାଁରେ ତଳକୋର୍ଟରେ ଥିବା ମାମଲାକୁ ଖାରଜ କରିଥିଲେ ହାଇକୋର୍ଟ । ତଳକୋର୍ଟ ରାୟ ବିରୋଧରେ ହାଇକୋର୍ଟ ଯାଇଥିଲେ ପ୍ରତାପ ଜେନା । ମାହାଙ୍ଗା ଡବଲ ମର୍ଡର ମାମଲାରେ ୧୩ ନମ୍ବର ମୁଦାଲା ଥିଲେ ପ୍ରତାପ ଜେନା । ଚାର୍ଜସିଟ୍ରେ ପ୍ରତାପଙ୍କ ନାଁ ନଥିବାରୁ ପୁନଃ ତଦନ୍ତ ନିର୍ଦ୍ଦେଶ ହୋଇଥିଲା ।
ସାଲେପୁର କୋର୍ଟଙ୍କ ପୁନଃ ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ନାଁ ଯୋଡ଼ିଥିଲା । ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା । ହାଇକୋର୍ଟଙ୍କ ରାୟ ପରେ ସୋସିଆଲ ମିଡିଆର ‘ଏକ୍ସ’ ଜରିଆରେ ପ୍ରତିକ୍ରିୟା ରଖିଥିଲେ ପ୍ରତାପ ଜେନା । ସତ୍ୟର ସବୁବେଳେ ଜୟହୁଏ ବୋଲି ଲେଖିଥିଲେ ପ୍ରତାପ ଜେନା।
୨ ଜାନୁଆରୀ ୨୦୨୧ରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଡବଲ ମର୍ଡର । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ । ପ୍ରତାପ ସେତେବେଳେ ମାହାଙ୍ଗାର ବିଧାୟକ ଥିଲେ ଓ ରାଜ୍ୟର ଜଣେ ବରିଷ୍ଠ ବିଜେଡି ମନ୍ତ୍ରୀ ଥିଲେ । ତାଙ୍କ ହାତରେ ଆଇନ ବିଭାଗ ମଧ୍ୟ ଥିଲା । ମାହାଙ୍ଗା ପୋଲିସ ମାମଲାର ଠିକ ଭାବେ ତଦନ୍ତ କରୁନଥିବା ଓ ମନ୍ତ୍ରୀଙ୍କ ସଂପୃକ୍ତି ଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡାଉଥିବା ଅଭିଯୋଗ ହେଉଥିଲା । ଖୋଦ୍ କୁଳମଣିଙ୍କ ପରିବାର ପକ୍ଷରୁ ଏହି ଅଭିଯୋଗ କରାଯାଇଥିଲା । ଏପରିକି ଏତଲାରେ ମଧ୍ୟ ପ୍ରତାପଙ୍କ ନାଁ ଉଲ୍ଲେଖ କରାଯାଇଥିଲା ।
ତେବେ ଚାର୍ଜସିଟରୁ ତାଙ୍କ ନାଁ ହଟାଇବାକୁ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ଡବଲ ମର୍ଡର ଘଟଣାକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା ।