Odia News Portal

ଭୁବନେଶ୍ୱର ୮ଟି ବିମାନର ଜରୁରୀ ଅବତରଣ, ଉଡ଼ାଣକୁ ନେଇ ଗେଟ୍‌ ସମ୍ମୁଖରେ ଯାତ୍ରୀଙ୍କ ଉତ୍ତେଜନା

କୋଲକାତାରେ କାଳବୈଶାଖୀ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରେ ୮ଟି ବିମାନର ଜରୁରୀ ଅବତରଣ । କୋଲକାତାରେ କାଳବୈଶାଖୀ ପ୍ରଭାବ ଲାଗି ସମସ୍ତ ୮ଟି ବିମାନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛନ୍ତି । ଦୀର୍ଘ ୧୨ ଘଣ୍ଟା ଧରି ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ଯାତ୍ରୀ । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏପିରିକି ଭୁବନେଶ୍ୱର ବିମାନବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଛି ।

ଖବର ଅନୁଯାୟୀ, ଦିଲ୍ଲୀରୁ କୋଲକାତା ଅଭିମୁଖେ ଯାଉଥିଲା ବିମାନ । ହେଲେ କୋଲକାତାରେ ବାଳବୈଶାଖୀ ପ୍ରଭାବରେ ବିମାନ ଅବତରଣ ପାଇଁ ପାଗ ଅନୁକୂଳ ନଥିଲା । ଯେଉଁଥି ଲାଗି ଶନିବାର ରାତିରେ ସମସ୍ତ ବିମାନକୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରାଯାଇଥିଲା । ତେବେ ଶନିବାର ରାତିରୁ ଆଜି ଯାଏଁ ସମସ୍ତ ଯାତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ଅଟକି ରହିଛନ୍ତି । ଯେଉଁଥି ଲାଗି ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ୨୫ରୁ ଅଧିକ ଯାତ୍ରୀ ବିମାନବନ୍ଦର ଗେଟ୍‌ ସମ୍ମୁଖରେ ପାଟିତୁଣ୍ଡ ସହ ହୋହାଲ୍ଲା କରିଥିଲେ । ସେମାନଙ୍କ ଅଭିଯୋଗ ଯେ, ପାଗ ଭଲ ହେବା ପରେ ବି ବିମାନ ଗୁଡ଼ିକୁ ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଛଡାଯାଉନାହିଁ ।  ଯାହାକୁ ଆଧାର କରି ବିମାନବନ୍ଦର ପକ୍ଷରୁ କୁହାଯାଇଛି ଯେ, ଶନିବାର ରାତିରେ ୮ଟି ବିମାନ ଭୁବନେଶ୍ୱରରେ ଅବତରଣ କରିଥିଲା । ଯାହାମଧ୍ୟରୁ ଏବେ ଯାଏଁ ୬ଟି ବିମାନ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିସାରିଛନ୍ତି । ବାକି ଦୁଇଟି ଫ୍ଲାଇଟ୍‌ର ଯାତ୍ରୀ ରହିଛନ୍ତି । ଖୁବଶୀଘ୍ର ସେମାନଙ୍କୁ ବି ନିଜ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯିବ ।