Odia News Portal

 ଭୁବନେଶ୍ୱରରେ ମାତିଛନ୍ତି ନିଶା ବେପାରୀ, ଜାଲରେ ପଡ଼ୁଛନ୍ତି ଯୁବପିଢ଼ି

ନୀଳ ଜହରର ଏ ନୀଳ ଇଲାକା । ଚା’ ସାଙ୍ଗରେ ଜମୁଥିଲା ଗ୍ରୀନ୍‌ ଗ୍ରୀନ୍‌ ସିଗାରେଟ୍‌ । ଖାଲି ଗଞ୍ଜେଇ ନୁହେଁ, ଏବେ ରାଜଧାନୀ ପାଲଟିଛି ନିଶା କାରବାରର ଆଡାସ୍ଥଳୀ । ବେପାରୀ ବିଛାଉଛନ୍ତି ଜାଲ, ଫାଶରେ ପଡ଼ୁଛନ୍ତି ଯୁବପିଢ଼ି । ଏଇ ମାତ୍ର ୨ ଦିନରେ ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲାଣି ବଣ୍ଡଲ ବଣ୍ଡଲ ଗଞ୍ଜେଇ, ଶହ ଶହ ଲିଟର ଦେଶୀ ମଦ, ଆଉ ପୁଳାପୁଳା ଡ୍ରଗ୍ସ । ଗୋଡାଉଛି ପୋଲିସ, ଆଗେ ଆଗେ ଦଉଡ଼ୁଛନ୍ତି ଯୁବ ନିଶାଡ଼ି । ନୀଳ ଗଞ୍ଜେଇର ସିଗାରେଟ୍‌ କିଣିବାବେଳେ କିଛି ଯୁବକଙ୍କୁ ପୋଲିସ ଗିରଫ କରିଛି ।

ସେହିପରି ଭୁବନେଶ୍ୱରରେ ପାନ ଦୋକାନରେ ଚାଲିଥିଲା ଗଞ୍ଜେଇ କାରବାର । ଡ୍ରଗ୍ସ କାରବାର ନେଇ ସ୍ପେଶାଲ କ୍ରାଇମ ୟୁନିଟର ଖବର ପାଇବା ପରେ ଚଢ଼ାଉ କରିଥିଲା । ନିଶା ବେପାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଲା କ୍ରାଇମ୍ ୟୁନିଟ୍ । ଅଧିକାରୀମାନେ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ କରିଥିଲେ । ପରେ ଏକାଧିକ ଯୁବକଙ୍କୁ ଉଠାଇ ନେଇଥିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ ।

ଅନ୍ୟପଟେ ରାଜଧାନୀର ରାଜରାସ୍ତା କଡ଼ରୁ ଠାବ ହୋଇଛି ଦେଶୀ ମଦ ଭାଟି । ଶାସ୍ତ୍ରୀନଗର ଟ୍ରାଫିକ୍ ଛକ ଉପରେ ଚାଲିଥିଲା ଦେଶୀ ମଦ ଭାଟି । ଯାହାର ପର୍ଦ୍ଦାଫାସ୍ କରିଛି ଖାରବେଳ ନଗର ଥାନା ପୋଲିସ । ଘଟଣାସ୍ଥଳରେ ଚଢାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ । ଏକ ଲାଟିନ୍‌ ଭିତରେ ମଦ ତିଆରି କରାଯାଉଥିବା ଚିତ୍ର ସାମ୍‌ନାକୁ ଆସିଥିଲା ।