ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ। ତାଙ୍କ ନିକଟରୁ ଏଯାଏ ଭିଜିଲାନ୍ସ ନଗଦ ୩୭ ଲକ୍ଷ ୨୭ ହଜାର ଟଙ୍କା ଜବତ କରିଛି। ଗତକାଲି ଏକ ଘରୋଇ ବସରେ କଟକ ଆସୁଥିବାବେଳେ ଜୟପୁରରୁ ୫ କିଲୋମିଟର ଦୂର ଟାଙ୍କୁଆ ନିକଟରେ ସୁଶାନ୍ତଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା, ଓ ବୈପାରୀଗୁଡା ଥାନାରେ ଥିବା ସୁଶାନ୍ତଙ୍କ ଅଫିସ ଚାମ୍ବରରୁ ଲକ୍ଷେ ୮୦ ହଜାର ଟଙ୍କା ଜବତ ହୋଇଥିଲା।
ବୈପାରୀଗୁଡ଼ା ସ୍ଥିତ ଘରୁ ୩ ଲକ୍ଷ ଟଙ୍କା ଜବତ ହୋଇଥିଲା। ଗତକାଲି ସାଢେ ୭ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ଆଜି କଟକ ବକ୍ସିବଜାରସ୍ଥିତ ସରକାରୀ ବାସଭବନରୁ ୨୯ ଲକ୍ଷ ୭୭ ହଜାର ଟଙ୍କା ଜବତ ହୋଇଛି। ଏଥିରେ ୫ଶହ ଟଙ୍କିଆ, ଶହେ ଓ ଦୁଇ ଶହ ଟଙ୍କିଆ ନୋଟ୍ ଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ବସ୍ ରେ କଟକ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାବାବୁ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧରିଥିଲେ। ଫଳରେ ଶ୍ରୀ ଶତପଥୀ ଭିଜିଲାନ୍ସର ଜାଲରେ ଛନ୍ଦି ହୋଇଯାଇଥିଲେ। ସଂପୃକ୍ତ ପୁଲିସ ବାବୁଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବସ୍ରୁ ଓହ୍ଲାଇ ପଚରାଉଚରା କରିଥିଲେ।