Odia News Portal

ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର

ଭିଜିଲାନ୍ସ ଜାଲରେ ଫସିଲେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ। ଗତକାଲି ବିଳମ୍ବିତ ରାତିରେ ତହସିଲଦାର ଧୋବେଇ ନାୟକଙ୍କ ବିଭିନ୍ନ ଘରେ ରେଡ୍‌ କରିଛି ଭିଜିଲାନ୍ସ ଟିମ। ତହସିଲଦାରଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ନିଜସ୍ୱ ବାସଭବନରେ ଚଢ଼ଉ ହୋଇଥିବା ସୂଚନା ମିଳିଥିବା ବେଳେ ଏଥିରେ ନୟାଗଡ଼ ଓ ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ସାମିଲ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକ ଦଲାଲଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ଆଦାୟ କରୁଥିଲେ। ଗତକାଲି ସ୍ଥାନୀୟ ଅଞ୍ଚଳର ଦଲାଲ ପ୍ରସନ୍ନ ସାହୁଙ୍କୁ ଗିରଫ ପରେ ତହସିଲଦାର ଧୋବେଇ ନାୟକଙ୍କ କାରନାମା ପଦାରେ ପଡ଼ିଥିଲା। ଖଣ୍ଡପଡ଼ା ବାଇପାସରେ ଏକ ବାଲିଗାଡିକୁ ଶ୍ରୀ ନାୟକ ଜବତ କରିବା ସହ ଛାଡ଼ିବା ପାଇଁ ଦଲାଲ ପ୍ରସନ୍ନ ସାହୁଙ୍କ ମାଧ୍ୟମରେ ୨୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଗାଡ଼ି ମାଲିକ ଚନ୍ଦନ ଜେନାଙ୍କ ଠାରୁ ଏହି ଲାଞ୍ଚ ଟଙ୍କା ନେଉଥିବାବେଳେ ପ୍ରସନ୍ନ ସାହୁଙ୍କୁ ମାଡ଼ିବସିଥିଲା ନୟାଗଡ ଭିଜିଲାନ୍ସ ଟିମ୍ । ପ୍ରସନ୍ନ ତହସିଲଦାରଙ୍କ ପାଇଁ ଏହି ଟଙ୍କା ନେଉଥିବା ସ୍ବୀକାର କରିବାପରେ ଭିଜିଲାନ୍ସ ଟିମ୍ ଧୋବେଇ ନାୟକଙ୍କ ଭାପୁର ଭଡ଼ାଘର ଏବଂ ଭୁବନେଶ୍ବର ଘର ସମେତ ୩ଟି ସ୍ଥାନରେ ଚଢ଼ଉ ଜାରି ରଖିଥିବା ସ୍ପଷ୍ଟ ହୋଇଛି।