Odia News Portal

ଭଙ୍ଗାଗଲା ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ

ଖଣ୍ଡଗିରି ସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ବୁଲିଲା ବୁଲଡ଼ୋଜର । ଜବରଦଖଲ ଉଚ୍ଛେଦ ପୂର୍ବରୁ ଆଶ୍ରମର ଲାଇନ୍ କାଟିଲା ଟାଟା ପାୱାର । ପୋଲିସ ଫୋର୍ସ ଉପସ୍ଥିତିରେ ଭୁବନେଶ୍ବର ଖଣ୍ଡଗିରିରେ ଥିବା ବୈକୁଣ୍ଠଧାମ ଆଶ୍ରମକୁ ଉଚ୍ଛେଦ କରାଯାଉଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।

ତେବେ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ ଗୁରୁବାର ମାଇକ୍ ଯୋଗେ ବିଧିବଦ୍ଧ ଭାବେ ବିଡ଼ିଏ ପକ୍ଷରୁ ଘୋଷଣା କରାଯାଇଥିଲା । ହାଇକୋର୍ଟଙ୍କ ଛାଟ ପାଇବା ପରେ ବୈକୁଣ୍ଠଧାମର ସାମଗ୍ରୀ ଖାଲି କରାଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁ ସୌଖିନ ଟାଭେରା ଗାଡ଼ି ବାବାଙ୍କ ଯିବା ଆସିବା ପାଇଁ ବ୍ୟବହାର କରାଯାଉଥିଲା ଆଜି ସେ ଗାଡ଼ିରେ କିଚେନ ସାମଗ୍ରୀ, ଦାମୀ ପର୍ଫ୍ୟୁମ୍, ଆରାମଦେୟ ଚୌକି, ଚାନ୍ଦୁଆ, ଧର୍ମୀୟ ପୁସ୍ତକ ବାବାଙ୍କ ଡାଏରୀ ଆଦି ଲଦାହୋଇ ଯାଉଛି । 

ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଛି । ତୁରନ୍ତ ସେ ସ୍ଥାନ ଛାଡ଼ିଯିବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା । 

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍‌ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଦର୍ଶାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ତଥାପି ୩ ଦିନ ଧରି ଚୁପ ବସିରହିଲା ବିଡିଏ ।  

ନଭେମ୍ବର ୨୧ ଅପରାହ୍ନରେ ବିଡିଏ  କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ କମିଟି  ବୈଠକରେ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଜୋନାଲ କମିଶନର, ପୁଲିସ ଅଧିକାରୀ ଆଶ୍ରମ  ଭାଙ୍ଗିବା ନେଇ ଢ଼େର୍‌ ସମୟ ଧରି ବିଚାରବିମର୍ଶ  କଲେ । ନିଷ୍ପତ୍ତି ନିଆଗଲା, ଘାଟିକିଆ ମୌଜାର  ଖାତା ନଂ ୨୩୩୯ (ଜିଏଡି)ର ପ୍ଲଟ୍‌ ନଂ ୯୦୩୭ ଓ  ୯୦୩୮ ‘ପତିତ’ କିସମର ଜମିରେ ଗଢ଼ିଉଠିଥିବା  ସାମ୍ରାଜ୍ୟକୁ ଭଙ୍ଗାଯିବ । ତା’ ପୂର୍ବରୁ ଆଶ୍ରମକୁ  ନୋଟିସ୍‌ ଜାରି କରାଗଲା । ଆଶ୍ରମରୁ ଜିନିଷପତ୍ର  ଖାଲି କରିବାକୁ ମାଇକ୍‌ ମାଧ୍ୟମରେ ଘୋଷଣା ହେଲା ।

ଉଚ୍ଛେଦର ଠିକ୍‌ ଦିନକ ପୂର୍ବରୁ ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ସତ୍ୟପାଠ  ଦାଖଲ କରିଥିଲେ । ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା  ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ  ଲେଖାଯାଇଥିବା ଚିଠିକୁ ଦାଖଲ କରାଯାଇଥିଲା ।  ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ  ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା  ଦର୍ଶାଯାଇଥିଲା । ହାଇକୋର୍ଟ ମଧ୍ୟ ବିଡିଏର  ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ ।  ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ  ଜବାବ୍‌ ମାଗିବା ପରେ ଆଶ୍ରମର ଜାଲିଆତି  ଜଣାପଡି଼ଥିଲା । ଗତ ୧୦ ତାରିଖରେ ହାଇକୋର୍ଟ  ବିଚାରପତି ଜଷ୍ଟିସ୍‌ ବି.ପି. ରାଉତରାୟ ଉଚ୍ଛେଦ ରହିତାଦେଶକୁ ହଟାଇଥିଲେ ।