Odia News Portal

ବ୍ରାଜିଲରେ ଜଳ ପ୍ରଳୟ, ୨୯ ମୃତ, ୬୦ରୁ ଅଧିକ ନିଖୋଜ

ବ୍ରାଜିଲର ଅନେକ ଅଞ୍ଚଳରେ ବର୍ତ୍ତମାନ ମୁସଳ ଧାରାରେ ବର୍ଷା ଜାରି ରହିଛି । ବର୍ଷା ଯୋଗୁଁ ଅନେକ ଅଂଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ପରିସ୍ଥିତି ଏପରି ହୋଇଛି ଯେ, ବ୍ରାଜିଲର ଦକ୍ଷିଣ ରାଜ୍ୟ ରିଓ ଗ୍ରାଣ୍ଡେ ଡୋ ସୁଲରେ ଗୁରୁବାର ରାତିରେ ପ୍ରବଳ ବର୍ଷା ହେତୁ ମୃତ୍ୟୁ ସଂଖ୍ୟା ୨୯ କୁ ବୃଦ୍ଧି ପାଇଥିବା ବେଳେ ଅନ୍ୟ ୬୦ ଜଣ ନିଖୋଜ ଅଛନ୍ତି।

ରାଜ୍ୟ ନାଗରିକ ପ୍ରତିରକ୍ଷା ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ପୂର୍ବରୁ ଏଜେନ୍ସି ସୂଚନା ଦେଇଥିଲା ଯେ, ବର୍ଷା ଯୋଗୁଁ ୧୩ ଜଣ ମୃତ୍ୟୁବରଣ ହୋଇଛି ଏବଂ ୨୧ ଜଣ ନିଖୋଜ ଅଛନ୍ତି । ବନ୍ୟା ଯୋଗୁଁ ରିଓ ଗ୍ରାଣ୍ଡେ ଡୋ ସୁଲର ସବୁ ସ୍ଥାନ ପାଣିରେ ବୁଡି ରହିଛି । ଅନେକ ଅଞ୍ଚଳ ସହିତ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି ।

ବନ୍ୟା ପରେ ସୃଷ୍ଟି ହୋଇଥିବା ଭୟଙ୍କର ପରିସ୍ଥିତି ଯୋଗୁଁ ଏବେ, ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ । ବ୍ରାଜିଲର ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲଭା ଗୁରୁବାର ଦିନ ରାଜ୍ୟ ଗସ୍ତରେ ଯାଇ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଯେ ଏହି ବର୍ଷା ଦ୍ୱାରା ପ୍ରଭାବିତ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଆମ ସରକାର ସମସ୍ତ ପ୍ରକାର ଉଦ୍ୟମ କରିବେ।

ନାଗରିକ ସୁରକ୍ଷା ଏଜେନ୍ସି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବର୍ଷା ହେତୁ ୧୦ ହଜାରରୁ ଅଧିକ ଲୋକଙ୍କୁ ଘର ଛାଡି ଅନ୍ୟତ୍ର ଯିବାକୁ ପଡିଛି । ସୋମବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ପର୍ଯ୍ୟନ୍ତ ଜାରି ରହିବ ବୋଲି ଆଶା କରାଯାଉଛି। ପ୍ରବଳ ବର୍ଷା ହେତୁ ଉଚ୍ଚ ସ୍ଥାନକୁ ଯିବାକୁ ପ୍ରଶାସନ ଲୋକଙ୍କୁ ନିବେଦନ କରିଛି। ଏବେବି ଅନେକ ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ଉଦ୍ଧାର ପାଇଁ ପ୍ରଶାସନକୁ ଅପେକ୍ଷା କରିଛନ୍ତି ।