Odia News Portal

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ, ମାମଲା ରୁଜୁ

 ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟାଳୟକୁ ବୋମା ଧମକ । ଅଲ୍ କାଏଦା ନାମକ ଜଣେ ୟୁଜରଙ୍କ ଆଇଡିରୁ ଏହି ଧମକ ମିଳିଛି । ତେବେ ବିହାର ପୋଲିସ ଏ ବାବଦରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଚିବାଳୟ ପୁଲିସ୍ ଷ୍ଟେସନର ଏସ୍ଏଚ୍ଓ ସଞ୍ଜୀବ କୁମାରଙ୍କ ଅଭିଯୋଗ ଅଧାରରେ ଏହି ମାମଲା ରୁଜୁ ହୋଇଛି।

ସୂଚନା ଅନୁସାରେ, ଜୁଲାଇ ୧୬ରେ ସିଏମ୍ଓର ଅଫିସିଆଲ ମେଲ ଆଇଡିରେ ଏକ ମେଲ ଆସିଥିଲା ଯେ ସିଏମ୍ଓ ଉପରେ ବୋମା ପକାଯିବ। ବିହାରର ସ୍ୱତନ୍ତ୍ର ପୋଲିସ୍ ମଧ୍ୟ ସେମାନଙ୍କ ପାଇଁ କିଛି କରିପାରିବ ନାହିଁ। ଏହାକୁ ନଜର ଅନ୍ଦାଜ ନ କରିବାକୁ ଇମେଲରେ କୁହାଯାଇଥିଲା। ଏଥିସହିତ ଏହି ଧମକ ପାଇବା ପରେ ପୋଲିସ ସମ୍ପୃକ୍ତ ମେଲ ବିଷୟରେ ଜାଣିବା ଆରମ୍ଭ କରିଥିଲା। ତେବେ ଅଭିଯୁକ୍ତମାନେ [email protected] ନାମକ ମେଲରୁ ଏହି ଧମକ ପଠାଇଥିଲେ। ସମ୍ପୃକ୍ତ ମେଲ ଆଇଡିର ସବିଶେଷ ତଥ୍ୟ ପୋଲିସ ତଦନ୍ତ କରୁଛି। ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ବିଏନ୍ଏସ୍ ୨୦୨୩ର ଧାରା ୩୫୧ (୪), (୩) ଏବଂ ଆଇଟି ଆକ୍ଟର ୬୬(ଏଫ) ଅନୁଯାୟୀ ଏକ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି ।