ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ପୁଲିସ୍ ମଧ୍ୟରେ ଗତ ମଙ୍ଗଳବାର ଦିନ ହୋଇଥିବା ସଂଘର୍ଷକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଏହି ପ୍ରସଙ୍ଗକୁ ଗଣ୍ଠି କରି ବିଜେପି ଲଗାତାର ଭାବେ ସରକାରଙ୍କୁ ଟାର୍ଗେଟ୍ କରିଥିଲା। ବିଜେଡି ବି କଡ଼ା ଭାଷାରେ ଜବାବ ଦେଇଥିଲା। ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଏକ ଲିଖିତ ଉତ୍ତରକୁ ନେଇ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍ ଦେଇଥିଲା। ଏମିତି ହୋହଲ୍ଲା ଭିତରେ ବୁଧବାର ଦିନତମାମ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ବୁଧବାର ଦିନ ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେପି ସଭ୍ୟମାନେ ପୁଲିସ୍ ବିରୋଧରେ ସ୍ଲୋଗାନ୍ ଦେଇ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ‘ପୁଲିସ୍ ଅତ୍ୟାଚାର ଚଳିବ ନାହିଁ’… ‘ଯଦି ଚଳିବ, ରାସ୍ତାଘାଟରେ ଲଢ଼େଇ ହେବ’ ଏମିତି ନାରାବାଜିରେ ଗୃହ କମ୍ପିଥିଲା। ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିବାକୁ ଉଦ୍ୟମ କରିଥିଲେ ବି ହୋହଲ୍ଲା ଭିତରେ ସମ୍ଭବ ହୋଇ ନଥିଲା। ଫଳରେ ଗୃହକୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା