ଆଉ କେଇ ଘଣ୍ଟାର ଅପେକ୍ଷା । ତାପରେ ଆରମ୍ଭ ହେବ ବାରବାଟୀ ଲଢେଇ । ମୈଦାନରେ ଇଣ୍ଡିଆ-ଇଂଲଣ୍ଡର ମହାମୁକାବିଲା ଦେଖିବେ ଦର୍ଶକ, ଦେଖିବ ସାରା ବିଶ୍ବ । ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଗେଟରେ ଧିରେଧିରେ ଲୋକଙ୍କୁ ଛଡାଯାଉଛି । ସମସ୍ତେ ଟିମ୍ ଇଣ୍ଡିଆର ବିଜୟ ନେଇ ଆଶାବାଦୀ ଥିବା ବେଳେ ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବାଲିରେ କଳାକୃତି କରି ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।
ସେପଟେ ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପଡିଆରେ ଛକା, ଚୌକା ବର୍ଷା ନେଇ ସମସ୍ତେ ଆଶାବାଦୀ । ବିରାଟ୍ ଏବଂ ରୋହିତଙ୍କ ବ୍ୟାଟ୍ରୁ ରନ୍ ବର୍ଷାର ଆଶା ମଧ୍ୟ ରଖାଯାଇଛି । ଏହାସହ ହାଇସ୍କୋରିଂ ମ୍ୟାଚର ଆଶା ରଖିଛନ୍ତି ଦର୍ଶକ । ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ତେଣୁ ଆଜି ବି ଟିମ୍ ଇଣ୍ଡିଆ ପାଇଁ ଭଲ ହେବ ବୋଲି କ୍ରିକେଟପ୍ରେମୀ ଆଶା ରଖିଛନ୍ତି ।