ପ୍ରବାଦ ପୁରୁଷଙ୍କୁ ଅସମ୍ମାନ । ବଲାଙ୍ଗୀର ପାଟଣାଗଡ଼ ପର୍ଶୁରାମ ଛକରେ ହୁତ୍ ହୁତ୍ ହୋଇ ଜଳିଗଲା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ସ୍ଥାପନ ନେଇ ବିବାଦ ଥିବା ବେଳେ ଏବେ କେହି ଦୁର୍ବୃତ୍ତ ଏଥିରେ ନିଆଁ ଲଗାଇ ପ୍ରତିମୂର୍ତ୍ତିକୁ ଜାଳି ଦେଇଛି । ତେବେ ବିବାଦୀୟ ସ୍ଥାନ ପର୍ଶୁରାମ ଛକରେ ମୂର୍ତ୍ତି ସ୍ଥାପନ ନେଇ ପୂର୍ବରୁ ବିରୋଧ ହୋଇ ଆସୁଥିଲା । ପୂର୍ବତନ ବିଧାୟକ ସରୋଜ ମେହେର ବିଜୁ ପ୍ରତିମୂର୍ତ୍ତି ସ୍ଥାପନା କରିବାକୁ ଯାଉଥିବା ବେଳେ ଏହାକୁ ବ୍ରାହ୍ମଣ ସମାଜ ବିରୋଧ କରିଥିଲେ ।
ସେହି ସ୍ଥାନରେ ପର୍ଶୁରାମ ମୂର୍ତ୍ତି ପ୍ରତିଷ୍ଠା ପାଇଁ ଜିଦ୍ କରିଥିଲେ । ଏପରିକି ମାସେ ପର୍ଯ୍ୟନ୍ତ ଧାରଣାରେ ବସିଥିଲେ ବ୍ରାହ୍ମଣ ସମାଜ । ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିକୁ ଜରି ଗୁଡାହୋଇ ରଖାଯାଇଥିଲା । ହେଲେ ଏବେ କେହି ଦୁର୍ବୃତ୍ତ ଆଜି ସକାଳୁ ପ୍ରତିମୂର୍ତ୍ତିକୁ ଜାଳି ଦେଇଥିବା ଦେଖିବାକୁ ମିଳିଛି । ପ୍ରତିମୂର୍ତ୍ତିକୁ ଜାଳିବା ନେଇ କେହି ଉସୁକାଇଥିବା ଲୋକେ ଅଭିଯୋଗ କରିଛନ୍ତି । ସେପଟେ ବିଜୁ ପ୍ରତିମୂର୍ତ୍ତି ଜଳିଯିବା ପରେ ପାଟଣାଗଡ ଏନ୍ଏସି ପକ୍ଷରୁ ତୁରନ୍ତ ଜାଳି ଦେଇଥିବା ପ୍ରତିମୂର୍ତ୍ତିକୁ ସଫେଇ କରାଯାଉଛି । ତେବେ ଘଟଣାରେ କାହାର ସମ୍ପୃକ୍ତି ରହିଛି । କିଏ ଓ କାହିଁକି ନିଆଁ ଲଗାଇଲା ସେ ନେଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।