Odia News Portal

ବଦ୍ରିଙ୍କ ବିସ୍ପୋରଣ; ନିଜ ଦଳ ଉପରେ ବର୍ଷିଲେ, କହିଲେ-‘ନେତା ଧାର ଆଣି ଆମେ ଭୁଲ କରିଛୁ’

କାଲି ବିଧାନସଭା ଭିତରେ ଆଜି ବାହାରେ ବଦ୍ରି ପାତ୍ରଙ୍କ ବିସ୍ପୋରକ ବୟାନ । ଯାହାକୁ ନେଇ ଏବେ ପୁଣି ଚର୍ଚ୍ଚା ବଢିବାରେ ଲାଗିଛି । ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ରଙ୍କ ବୟାନକୁ ନେଇ ସରଗରମ ହୋଇଛି ରାଜନୀତି । ଅତୀତରେ ଆମ ଦଳ ଭୁଲ କରିଛି । ବିଜେପିରେ ଟିକେଟ ପାଇଥିବା କିଛି ପାର୍ଥିଙ୍କୁ ଆଣିକି ଆମ ଦଳରେ ମିଶାଇଲେ । ବର୍ତ୍ତମାନ ବିଜେପି ସାଂସଦ ମାନଙ୍କୁ ନେଇଯାଉଛନ୍ତି । ଏହା ଉଭୟ ଦଳ ପାଇଁ କ୍ଷତିକାରକ । ଏତେ ବର୍ଷ କ୍ଷମତାରେ ରହିଲା ପରେ ଗୋଟେ ନିର୍ବାଚନ ମଣ୍ଡଳୀ ପାଇଁ ଭଲ ପ୍ରାର୍ଥୀ ତିଆରି କରିପାରିଥାନ୍ତୁ । ଅନ୍ୟ ଦଳରୁ ଧାର ଆଣିବା ଆମେ ଭୁଲ କରିଛୁ ବୋଲି କହିଛନ୍ତି ।

ଆହୁରି କହିଛନ୍ତି ଯେ, ବିଜେପି ଯାହା କରୁଛି ସେଇଟା ବି ଭୁଲ। ଆଦର୍ଶ ବଦଳିନଥିବା ଲୋକଙ୍କୁ ଆଣି ରାତି ଅଧରେ ଆଣି ସକାଳୁ ପାର୍ଥି କଲେ ସେମାନେ ହାରୁଛନ୍ତି । ଆଦର୍ଶ ଜନିତ ସଙ୍କଟ ରହୁଛି । ସେମାନଙ୍କୁ ଭରସା କରି ଦଳ ଆଗେଇପାରିବ ନାହିଁ । ଏହା ଦ୍ୱାରା ଦଳର କ୍ଷତି ହେଉଛି । ଏହା ଭଲ ପରମ୍ପରା ନୁହେଁ ବୋଲି କହିଛନ୍ତି। ତେବେ ଏଠି ସବୁଠୁ ବଡ଼ ପ୍ରଶ୍ନ ଜଣେ ବିଜେଡ଼ିର ବରିଷ୍ଠ ବିଧାୟକ ଏମିତି କହିବାର କାରଣ କଣ ହୋଇପାରେ ? ବିଜେଡ଼ିରେ ସବୁକିଛି ଠିକ୍‌ ନାହିଁ କି ? ଏମିତି ନାନା ପ୍ରଶ୍ନ ଏବେ ଉଙ୍କି ମାରିଛି ।

ଅନ୍ୟପଟେ ଦଳର ମୁଖିଆଙ୍କୁ ନେଇ ମଧ୍ୟ କହିଛନ୍ତି, ନବୀନ ବାବୁ ବିଧାନସଭା ଆସିବା ଫଳରେ ଭଲ ମେସେଜ ଯାଉଛି । କର୍ମୀ ଉତ୍ସାହିତ ହେଉଛନ୍ତି । ନବୀନ ଜିଲ୍ଲା ଗସ୍ତ କଲେ ଭଲ । କର୍ମୀଙ୍କ ମନୋବଳ ବଢିବ। କିଛି ଲୋକ କିଛି ପାଇବା ଆଶାରେ ଦଳ ଛାଡ଼ୁଛନ୍ତି। କିଛି ବ୍ଲକରେ ଅଧ୍ୟକ୍ଷ ଛାଡିକି ପଳେଇଲେଣି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ପାତ୍ର ।

ଏପଟେରେ ବିଜେଡ଼ିକୁ ପୁଣି ଟାର୍ଗେଟ୍‌ କରିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ବିଜେଡ଼ିର ସଙ୍ଗଠନ ଭୁଶୁଡ଼ିବାରେ ଲାଗିଛି । ବିଜେଡ଼ିରେ ସବୁକିଛି ଠିକ୍‌ ନାହିଁ । ତାଙ୍କ ଦଳର କର୍ମୀମାନଙ୍କୁ ଉତ୍ସାହିତ କରିବା ପାଇଁ ନବୀନ ବିଧାନସଭାକୁ ଆସୁଛନ୍ତି ୧୦ରୁ ୧୫ ମିନିଟ୍‌ ବସିକି ଯାଉଛନ୍ତି । କିନ୍ତୁ ତାଙ୍କୁ ଦଳରେ ଯେଉଁ ନିଆଁ ଲାଗିଛି ସେ ଲିଭିବ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ଗତକାଲି ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭା ସରଗରମ ହୋଇଥିଲା । ଯାହାକୁ ନେଇ ବିଧାୟକ ବଦ୍ରି ନାୟାୟଣ ପାତ୍ର ପ୍ରଶ୍ନ କାଳରେ ବିସ୍ଫୋରକ ବୟାନ ଦେଇଥିଲେ । ସେ କହିଥିଲେ ଯେ, ପାନୀୟଜଳ କଷ୍ଟ ପାଇଁ ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନରେ ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ଲୋକ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି କହିଛନ୍ତି ବଦ୍ରି।