Odia News Portal

ପ୍ରେସମିଟ୍ କରି ବର୍ଷିଲେ ଦୀପାଳି। କହିଲେ, କାହା ଅର୍ଡରକୁ ଅପେକ୍ଷା କରିଥିଲା ପୋଲିସ୍?

ବିଜେପି ସରକାର ଉପରେ ବର୍ଷିଲେ ଦୀପାଳି ଦାସ । ଝାରସୁଗୁଡାର ପୂର୍ବତନ ବିଧାୟିକା ଦୀପାଳି ଦାସ ଶନିବାର ପ୍ରେସମିଟ୍ କରି ସରକାର ଉପରେ ବର୍ଷିବା ସହିତ ଗତକାଲି ଘଟିଥିବା ଘଟଣାକୁ ନେଇ ସରକାର ଉପରେ ରାଗ ଝାଡିଛନ୍ତି । କହିଛନ୍ତି, ଯେତେବେଳେ କିର୍ମିରା ପଞ୍ଚାୟତରେ ଅନାସ୍ଥା ପ୍ରସ୍ତାବ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆଉ ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ସେତେବେଳେ ଅନାସ୍ଥା ଭୋଟ୍ ପାଇଁ ଜାନୁଆରୀ ୧୦ ତାରିଖ ଦିଆଗଲା । କିନ୍ତୁ ବିଜେପି ପକ୍ଷରୁ କିଛି ନେତା ପଞ୍ଚାୟତ ପ୍ରତିନିଧିଙ୍କୁ ଜାନୁୟାରୀ ୮ରେ ଧମକ ଚମକ ଦିଆଗଲା। ଏହାପରେ ଜାନୁୟାରୀ ୯ରେ ଲଇକେରା ଥାନା ଅଧିକାରୀ ଗୋଟେ ପ୍ରାଇଭେଟ୍ ପର୍ପର୍ଟିକୁ ଯାଇ ବେଆଇନ୍ ଭାବେ ସର୍ଚ୍ଚ କଲେ। ଯାହାକି ଦୀପାଳି ଦାସଙ୍କ ଭାଇ ଭାଇ ବିଶାଲ ଦାସଙ୍କ ମାଲିକାନାରେ ଅଛି। ଏନେଇ IG ଙ୍କୁ ଭେଟି ସେ ଆଲୋଚନା କରିଥିଲେ ।  କିନ୍ତୁ ତାପର ଦିନ ଛତିଶଗଡ ଯାଇ ପୋଲିସ୍ ହୋଟେଲରେ ସର୍ଚ୍ଚ କଲେ ବୋଲି କହିଛନ୍ତି ଦୀପାଳି ଦାସ । 

ଏହାସହ ମିସିଂ କେସ୍ ଦର୍ଶାଇ ସରପଞ୍ଚ, ସମିତି ସଭ୍ୟଙ୍କୁ ଅଟକ ରଖାଗଲା। ଏହାପରେ ବିଶାଲ ଦାସ ଖବର ପାଇ ହୋଟେଲକୁ ଗଲେ କିନ୍ତୁ ହୋଟେଲ ଆଗରେ ପହଞ୍ଚିଲା ବେଳକୁ ହୋଟେଲର ସଟର୍ ପଡିଥିଲା। ସେହି ସ୍ଥାନରେ ଛତିଶଗଡ ପୋଲିସ୍ ମୁତୟନ ଥିଲେ। ସେହି ସମୟରେ ବିଶାଲ ଦାସ ଯେତେବେଳେ ପୋଲିସକୁ ପଚାରିଥିଲେ କାହିଁକି ଅଟକ ରଖାଯାଇଛି? ସେତେବେଳେ ପୋଲିସ୍ କହିଥିଲା କି, ଉପରୁ ଅର୍ଡ଼ର ଆସିଲେ ଛାଡିବୁ। ଯାହାକୁ ନେଇ ସରକାର ଉପରେ ରାଗ ଝାଡ଼ିଛନ୍ତି ଦୀପାଳି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବିଜେଡି ଅଭିଯୋଗର କଡ଼ା ଜବାବ ରଖିଛି ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ,  ବିଜେପି ସରକାର ସବୁବେଳେ ଆଇନ ଓ ଗଣତନ୍ତ୍ରକୁ ସମ୍ମାନ ଦିଏ । ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଦୀପାଳି ଦାସ ଓ ତାଙ୍କ ପରିବାର । ଦୀପାଲି ଦାସଙ୍କ ଭାଇ ଛତିଶଗଡ଼ରେ କଣ କରୁଥିଲେ ? ଦୀପାଳି ଦାସ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ପଚାରନ୍ତୁ, ଯେ ତାଙ୍କ ସରକାର ବେଳେ ଜଣେ ପୋଲିସ ଅଧିକାରୀ କାହିଁକି ନବ ଦାସଙ୍କୁ ହତ୍ୟା କରିଥିଲେ ? ନବୀନ ବାବୁ କାହିଁକି ବିଧାନସଭାରେ ଏଫବିଆଇ ତଦନ୍ତ ବାବଦରେ ମିଛ କଥା କହିଥିଲେ ଦୀପାଳି ପ୍ରଶ୍ନ କରନ୍ତୁ ବୋଲି କହିଛନ୍ତି ମନୋଜ ମହାପାତ୍ର । 

ଏହାସହ ଡାର୍ଟି ପଲିଟିକ୍ସ କିଏ କରୁଥିଲା, ନବୀନ ବାବୁଙ୍କୁ ଯାଇ ଦିପାଳୀ ପଚାରନ୍ତୁ । ନବୀନ ପଟ୍ଟନାୟକ ଗଣତନ୍ତ୍ରକୁ ଦଳି ଚକଟି ମକଚୁଥିଲେ । କ୍ଷମତା ଗଲା ପରେ ବିଜେଡ଼ି କୁମ୍ଭୀର କାନ୍ଦଣା କାନ୍ଦୁଛି । ପୋଲିସକୁ ବିଜେଡ଼ି ଗୁଣ୍ଡା ଭଳି ବ୍ୟବହାର କରୁଥିଲା । ପ୍ରଦୀପ ପାଣିଗ୍ରାହୀଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇସାରିଛି । ପୂର୍ବ ସରକାରରେ ଆଇନ ମନ୍ତ୍ରୀ ମୁଦାଲା ଥିଲେ, ତାଙ୍କୁ କିଏ ସୁରକ୍ଷା ଦେଇଥିଲା ? କାର୍ୟ୍ୟକାରୀ ସଭାପତି ଥିବା ସତ୍ତ୍ୱେ ଦିପାଳୀଙ୍କ ବାପା ନବ ଦାସ କେମିତି କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଥିଲେ କହିବେ କି ? ନବ ଦାସ ହାରିଯିବା ଭୟରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ କି, ବୋଲି ପ୍ରଶ୍ନ କରି ଦୀପାଳିଙ୍କୁ ଘେରିଛନ୍ତି ବିଜେପି ମୁଖପାତ୍ର ।