Odia News Portal

ପିଲା ଓଡ଼ିଶାର, ହେଲେ ପରୀକ୍ଷା କେନ୍ଦ୍ର ଗୁଜରାଟର ଗୋଧ୍ରା

ମେଡିକାଲ ପାଠ ପଢ଼ିବା ପାଇଁ ହେଉଥିବା ନିଟ୍ ପ୍ରବେଶିକା ପ୍ରଶ୍ନପତ୍ର ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। ଏ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଓଡ଼ିଶାର କିଛି ପିଲା କାହିଁକି ନିଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ଗୁଜରାଟ ଗୋଧ୍ରାର ଏକ ସ୍କୁଲକୁ ପରୀକ୍ଷା କେନ୍ଦ୍ର ରୂପେ ବାଛିଲେ ଏବେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରଶ୍ନପତ୍ର ଲିକ ରାକେଟର ସୁରାକ ବିହାର ଓ ଗୁଜରାଟରେ ମିଳିଥିବାରୁ ସନ୍ଦେହ ବଢ଼ିଚାଲିଛି।

ଅଧିକାଂଶ ଅଭିଭାବକ ଚାହାନ୍ତି ତାଙ୍କ ପୁଅ ବା ଝିଅ ଡାକ୍ତରଟିଏ ହେଉ। ସର୍ବଭାରତୀୟ ସ୍ତରରେ ଏନଟିଏ ବା ନେସନାଲ ଟେଷ୍ଟିଂ ଏଜେନସି ନିଟ୍ ପ୍ରବେଶିକା ପରୀକ୍ଷା କରିଥାଏ। ନିଟ୍ ବା ‘National Eligibility-cum-Entrance Test’ ପାଇଁ ଗତ ମେ’ ୫ ତାରିଖରେ ସାରା ଦେଶରୁ ୨୪ ଲକ୍ଷ ପିଲା ପରୀକ୍ଷାରେ ବସିଥିଲେ। ଓଏମଆର ମାର୍କସିଟ୍ ଜରିଆରେ ସଂକ୍ଷିପ୍ତ ବସ୍ତୁନିଷ୍ଠ ପରୀକ୍ଷା ଦେଇଥିଲେ। ପ୍ରଶ୍ନପତ୍ର ଲିକ୍ କରୁଥିବା ଏକ ରାକେଟକୁ ଧରିଛି ଗୁଜରାଟ ଗୋଧ୍ରା ପୋଲିସ୍। ଜୟ ଜଲାରାମ ସ୍କୁଲର ପ୍ରିନସିପାଲଙ୍କୁ ଗିରଫ କରିଛି। ତାଙ୍କ ସହ ରାକେଟରେ ଥିବା ଅନ୍ୟକିଛି ସହଯୋଗୀଙ୍କୁ ବି ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଓଡ଼ିଶା, ମହାରାଷ୍ଟ୍ର, କର୍ଣ୍ଣାଟକ ଭଳି ଦୂରବର୍ତୀ ରାଜ୍ୟରୁ ଆସିଥିବା ପ୍ରାୟ ୩୦ ଜଣ ପିଲା ଏଠାରେ ପରୀକ୍ଷା ଦେଉଥିଲେ। ସେମାନେ ନିଜ ରାଜ୍ୟଛାଡ଼ି ପ୍ରାୟ ଦେଢ଼ ହଜାର କିଲୋମିଟର ଦୂରରେ ଥିବା ଏକ ସ୍କୁଲକୁ କାହିଁକି ପରୀକ୍ଷା କେନ୍ଦ୍ର ରୂପେ ବାଛିଲେ, ତାହା ସମସ୍ତଙ୍କ ସନ୍ଦେହ ବଢ଼ାଇ ଦେଇଥିଲା। ଏହି କେନ୍ଦ୍ର ଜରିଆରେ ଲିକ୍ ପ୍ରଶ୍ନ ପତ୍ରର ସୁରାକ ପାଇବା ପାଇଁ ସେମାନେ ଜଣ ପିଛା ୧୦ ଲକ୍ଷ ଟଙ୍କା ଦେଇଥିଲେ ବୋଲି ସୂଚନା ମିଳିଛି। ଏମିତିକି ପରୀକ୍ଷା ପରେ ସଂପୃକ୍ତ ପ୍ରିନସିପାଲ ଓ ତାଙ୍କ ସହଯୋଗୀ ଖାଲି ବୃତ୍ତରେ ପେନସିଲ ମାରି ଉତ୍ତର ଭରି ଦେଇଥିଲେ ବୋଲି ଅଭିଯୋଗ ଆସିଛି। ଇତିମଧ୍ୟରେ ସ୍ଥାନୀୟ କୋର୍ଟ ସଂପୃକ୍ତ ପ୍ରିନସିପାଲଙ୍କୁ ଜାମିନ ଦେଇନଥିବାବେଳେ ପରୀକ୍ଷା ନିୟନ୍ତ୍ରଣ କରୁଥିବା ସଂସ୍ଥା ଏନଟିଏ ସଂପୃକ୍ତ ପରୀକ୍ଷାର୍ଥୀଙ୍କ ଓଏମଆର ମାର୍କ ସିଟ୍ ନ ଦେଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି।

ପରୀକ୍ଷାକୁ ଲିକ୍-ମୁକ୍ତ କରିବାକୁ ହେଲେ ସରକାରଙ୍କୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିବ ଓ ଏଥିରେ ସଂଶ୍ଲିଷ୍ଟ ରହୁଥିବା ଲୋକଙ୍କୁ ବାରମ୍ବାର ବଦଳାଇବା ଉଚିତ ବୋଲି ମତ ଦେଇଛନ୍ତି ଉତ୍କଳ ବିଶ୍ବବିଦ୍ୟାଳୟ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଳୟ ମହାନ୍ତି।

ଅନ୍ୟପଟରେ ବିହାରରେ ଗୋଟିଏ ପରୀକ୍ଷା ରାକେଟକୁ ସ୍ଥାନୀୟ ପୋଲିସ୍ ଧରିବା ବେଳେ ପ୍ରଶ୍ନପତ୍ର ଲିକରେ ସଂପୃକ୍ତ ଥିବା ଜଣେ ମୁନସିପାଲଟି ଜେଇ ଓ ତାଙ୍କ ପୁତୁରା ସମେତ୧୮ ଜଣଙ୍କୁ ଗିରଫ କରିଛି। ଆଗରୁ ବହୁ ପ୍ରଶ୍ନପତ୍ର ଲିକରେ ଅଭିଯୁକ୍ତ ଥିବା କିଙ୍ଗପିନ୍ ସଂଜୀବ ମୁଖିୟାକୁ ଧରିବା ପାଇଁ ଖୋଜୁଛି। ପରୀକ୍ଷା ପୂର୍ବ ଦିନ ପରୀକ୍ଷାର୍ଥୀଙ୍କୁ ଲିକ୍ ପ୍ରଶ୍ନ ପତ୍ର ଦେଖାଇ ଠିକ୍ ଉତ୍ତର ମନେ ରଖିବାକୁ କୁହାଯାଉଥିଲା। ଆଉ ସେମାନେ ସେଥିପାଇଁ ୩୦ରୁ ୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ ବୋଲି ସୂଚନା ମିଳିଛି।

ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନର ସଚିବ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କହିଛନ୍ତି, କିଛି ଧନୀ ଅଭିଭାବକ ଚାହୁଁଛନ୍ତି ସେମାନଙ୍କ ପୁଅ କିମ୍ବା ଝିଅ ଯେମିତି ହେଉ ଡାକ୍ତର ହୋଇଯାଆନ୍ତୁ। ଏହାଦ୍ୱାରା ମେଧାବୀ ଛାତ୍ର ବଂଚିତ ହେବେ ଓ ଠିକ୍ ଡାକ୍ତର ବାହାରିବେ ନାହିଁ। ଏଭଳି ମନୋବୃତ୍ତି ବର୍ଜନୀୟ। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଉଚିତ।

କେନ୍ଦ୍ର ସରକାର ଇତିମଧ୍ୟରେ ନିଟ୍ ପରୀକ୍ଷା ବାତିଲ ହେବ କି ନାହିଁ ସେ ନେଇ ଅନୁସନ୍ଧାନ ଜାରି ରଖିଛନ୍ତି। ଅନ୍ୟପଟରେ ପ୍ରଶ୍ନପତ୍ର ଲିକରେ ଜଡ଼ିତ ଥିବା ବ୍ୟକ୍ତି ବା ରାକେଟରେ ଥିବା ଲୋକଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବା ପାଇଁ କେନ୍ଦ୍ର ସରକାର ଶୁକ୍ରବାର ପେପର-ଲିକ୍ ବିରୋଧୀ ଆଇନକୁ କାର୍ଯ୍ୟକାରୀ କରିଛନ୍ତି। ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳକୁ ବନ୍ଦ କରାଯାଇପାରୁନାହିଁ। ପ୍ରଶ୍ନପତ୍ର ଲିକକୁ କୌଣସି ମତେ ସହ୍ୟ କରାଯିବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।