Odia News Portal

ପାର୍ବଣ ଋତୁରେ ଖାଉଟିଙ୍କ ମୁଣ୍ଡରେ ଚଡ଼କ

ରବିବାର ଭୁବନେଶ୍ୱର ବଜାରରେ ଟମାଟୋ କିଲୋ ୧୦୦ ଟଙ୍କା ଛୁଇଁଛି । ଏପରିକି ଖୁଚୁରା ଦୋକାନରେ ଟମାଟୋ କେଜି ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଟମାଟୋ ଦର ଶୁଣି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କେବଳ ଭୁବନେଶ୍ୱର ନୁହେଁ କଟକ ଛତ୍ରବଜାରରେ ମଧ୍ୟ ସମାନ ସ୍ଥିତି । ଶନିବାର ରାତିରୁ ଦର ବଢ଼ିଥିବା ବ୍ୟବସାୟୀମାନେ କହିଛନ୍ତି ।

ଟ୍ୱିନସିଟିକୁ ବାଦ୍ ଦେଇ ଗ୍ରାମାଞ୍ଚଳରେ ବି ଟମାଟୋ ଦର ୯୦ ଟଙ୍କାରେ ବିକ୍ରି ଚାଲିଛି । ଅନ୍ୟ ପରିବା ଦର ମଧ୍ୟ ୮୦ରୁ ୯୦ ଟଙ୍କା ରହିଛି । ସ୍ଥାନୀୟ ଅଞ୍ଚଳରେ ପରିବା ନ ଥିବାରୁ ବାହାର ପରିବା ଉପରେ ନିର୍ଭର କରିବାକୁ ପଡୁଥିବାରୁ ଏଭଳି ସ୍ଥିତି ହୋଇଥିବା ବ୍ୟବସାୟୀ ସଂଘ କହିଛନ୍ତି ।

ଦୀର୍ଘ ୧୫ ଦିନ ହେବ ପରିବା ଦର ଆକାଶ ଛୁଆଁ ରହିଛି । ଦ୍ୱିତୀୟା ଓଷା ସମୟରେ ଭୁବନେଶ୍ୱରରେ ପରିବା ଦର ଯାହା ଥିଲା ଏବେ ନବରାତ୍ରି ବେଳେ ଏହା ୫ରୁ ୧୦ ଟଙ୍କା ବଢିଛି । ଟମାଟୋକୁ ବାଦ୍ ଦେଲେ କୁନ୍ଦୁରୀ କିଲୋ ୬୦, କଲରା ୮୦, ବାଇଗଣ ୬୦ରୁ ୮୦, ପୋଟଳ ୮୦, ଭେଣ୍ଡି ୮୦, ବିନ୍ ୮୦ରୁ ୧୦୦, ଝୁଡ଼ଙ୍ଗ ୬୦, କଖାରୁ ୪୦, ଜହ୍ନି ୭୦, କାଙ୍କଡ଼ ୧୨୦ ଟଙ୍କା ରହିଛି । ତେବେ ଚିନ୍ତା ବଢ଼ାଇଛି ଟମାଟୋ । ୪ଦିନ ତଳେ ୧ ନମ୍ବର ହାଟରେ ଟମାଟୋ କିଲୋ ୫୦ରୁ ୬୦ଟଙ୍କାରେ ବିକ୍ରି ହେଉଥିଲା । ହେଲେ ହଠାତ୍ ଦର ଶହେ ଛୁଇଁବାକୁ ସାଧାରଣ ଗ୍ରାହକ ସହଜରେ ହଜମ କରିପାରୁନହାନ୍ତି । ଭୁବନେଶ୍ୱରକୁ ରାଜ୍ୟର କୌଣସି ସ୍ଥାନରୁ ପରିବା ଆସୁନି । ବେଙ୍ଗାଲୁରୁରୁ ବନ୍ଧାକୋବି, ଫୁଲକୋବି, ବିନ୍, ଟମାଟୋ ଆସୁଛି । ତାମିଲନାଡ଼ୁରୁ ସଜନା ଛୁଇଁ, କଖାରୁ, ଲଙ୍କା, ଗୁଆଁର ଆସୁଥିବା ବେଳେ ଆନ୍ଧ୍ରରୁ ଅମୃତଭଣ୍ଡା, ମାଟି ଆଳୁ, ଇନ୍ଦୋରରୁ ଗାଜର, ପଶ୍ଚିମବଙ୍ଗରୁ ବାଇଗଣ, ପୋଟଳ, ଭଣ୍ଡା, କୁନ୍ଦୁରି, ଜହ୍ନି, ସାରୁ ଆସୁଛି ।

ଭୁବନେଶ୍ୱର କଞ୍ଚା ପରିବା ସଂଘର ସଦସ୍ୟ କବିରାଜ ସ୍ୱାଇଁ କହିଛନ୍ତି, ଓଡ଼ିଶାରେ ଯେଉଁଠି ଯାହା ଫସଲ ହେଉଛି, ତାହା ସ୍ଥାନୀୟ ବଜାରକୁ ଯାଉଛି, ଭୁବନେଶ୍ୱରକୁ ଆସୁନି । ସେଥିପାଇଁ ଦର ଉଚ୍ଚା ରହୁଛି । ଦୈନିକ ଭୁବନେଶ୍ୱରକୁ ୮ରୁ ୧୦ ଗାଡି ଟମାଟୋ ଆସୁଛି । ବେଙ୍ଗାଲୁରୁ ସହରରେ ବି ଟମାଟୋ କେଜି ୧୦୦ ଟଙ୍କା ଅଛି । ତଥାପି ଆମେ କିଲୋ ୬୦ ଟଙ୍କାରେ ଟମାଟୋ କିଣୁଛୁ । ହେଲେ ଓଡ଼ିଶାକୁ ଆସିବା ବେଳେ ପରିବହନ ଖର୍ଚ୍ଚ ମିଶାଇଲେ ତାହା ୮୦ ହେଉଛି । ବିଭିନ୍ନ ବଜାରକୁ ଗଲା ବେଳକୁ ଦର ବଢୁଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି । ଛତ୍ରବଜାରର ବରିଷ୍ଠ ବ୍ୟବସାୟୀ ଦେବ ସାହୁ କୁହନ୍ତି, ଚଳିତବର୍ଷ ରାଜ୍ୟରେ ଫସଲ ହେଲାନି । ଆମେ ବାହାରୁ ପରିବା ଆଣି ଯୋଗାଉଛୁ । ସାଧାରଣତଃ ପାର୍ବଣ ଋତୁରେ ପରିବାର ଚାହିଦା ଥିବାରୁ ଦର ସାମାନ୍ୟ ଉଚ୍ଚା ରହୁଛି ।