Odia News Portal

ପାଣିପାଗ ବିଭାଗର ସତର୍କ ସୂଚନା: ୫ ଦିନଯାଏଁ ହୋଇପାରେ ବର୍ଷା-ଘଡ଼ଘଡ଼ି

ରାଜ୍ୟରେ ଟାଇଁଟାଇଁ ଖରା ହେଉଥିବା ବେଳେ ଆସନ୍ତାକାଲି ଠାରୁ ପାଣିପାଗ ବଦଳିବ। ପାଣିପାଗ ବିଭାଗ ଆଗାମୀ ୫ ଦିନଯାଏ ବର୍ଷା ସମ୍ଭାବନାର ଆଲର୍ଟ ଦେଇଛି। ଆସନ୍ତା ୨ ଦିନ ଯାଏ ଖରା ସହିତ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟା ପାଇଁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ବିଜୁଳି ଘଡ଼ଘଡ଼ିକୁ ନେଇ ୟେଲୋ ୱର୍ଣ୍ଣିଙ୍ଗ ଦେଇଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୩୦ରୁ ୪୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ।

ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, କନ୍ଧମାଳ, ବଲାଙ୍ଗୀର ବୌଦ୍ଧ ଓ ଅନୁଗୁଳ ଏହି ୧୦ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଙ୍ଗ ଦେଇଛି ବିଭାଗ। ଏହି ଜିଲ୍ଲା ଗୁଡ଼ିକରେ ଘଣ୍ଟାପିଛା ପବନର ବେଗ ୩୦ରୁ ୪୦ କିମି ବହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ୨ ତାରିଖରୁ ବର୍ଷାର ପରିମାଣ ବଢ଼ିବା ଅର୍ଥାତ ହାଲୁକାରୁ ମାଧ୍ୟମଧରଣର ବର୍ଷା ସମ୍ଭାବନା ଦେଇଛି ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ୨ ତାରିଖରେ ବିଜୁଳି ଘଡଘଡି ବର୍ଷକୁ ନେଇ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବୌଦ୍ଧ, ଅନୁଗୁଳ, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେଓଗଦା ଓ ସୁନ୍ଦରଗଡ ଏହି ୧୩ ଜିଲ୍ଲାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲାରେ ୪୦ରୁ ୫୦ କିମି ପବନ ମଧ୍ୟ ବହିବାର ସମ୍ଭାବନା ଦେଇଛି ବିଭାଗ। ୨, ୩ ଓ ୪ ତାରିଖରେ ଏଭଳି ବର୍ଷା ସମ୍ଭାବନା ଥିବା ବେଳେ ୪ ପରେ ପୁଣି ଧୀରେଧୀରେ ଖରା ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗତ ୨୪ ଘଂଟାରେ ୭ଟି ଷ୍ଟେସନରେ ୪୧ ଡିଗ୍ରି ଉପରେ ଓ ୯ଟି ସ୍ଥାନରେ ୪୦ ଡିଗ୍ରି ଉପରେ ତାପମାତ୍ରା ରହିଥିବା ବେଳେ ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରି ରେକର୍ଡ ହୋଇଛି।