ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ଵର୍ଗତ କମଳା ପୂଜାରୀ ଜଣେ ଅସାଧାରଣ ଗୁଣୀ, ସାଧିକା ଓ ତ୍ୟାଗୀ ମହିଳା ଥିଲେ। ଶତାଧିକ ସ୍ୱଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟର ବିହନ ସଂରକ୍ଷଣ କରି ଏବଂ ଜୈବିକ ଚାଷକୁ ପ୍ରୋତ୍ସାହନ ଦେଇ ସେ ମଣିଷ ସମାଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ସଂରକ୍ଷିତ କରୁଥିଲେ।
ପରିବେଶର ସୁରକ୍ଷା ପାଇଁ ତାଙ୍କର ଅମୂଲ୍ୟ ଅବଦାନ ରାଜ୍ୟ ଓ ଦେଶ କେବେ ଭୁଲି ପାରିବ ନାହିଁ। ତାଙ୍କ ବିୟୋଗ ସାରା ଦେଶ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ପରଲୋକଗତ ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପାଇଁ ସମବେଦନା ପ୍ରକାଶ କରିଛନ୍ତି।
ପଦ୍ମଶ୍ରୀ କମଳା ପୂଜାରୀଙ୍କ ୭୬ ବର୍ଷ ବୟସରେ ପରଲୋକ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ସେ କଟକ SCBରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ଧାନ ଗବେଷଣା ଓ ସଂରକ୍ଷଣ ପାଇଁ କୋରାପୁଟ ଜିଲ୍ଲାର ଏକମାତ୍ର ଆଦିବାସୀ ମହିଳା ଭାବେ ସେ ଦେଶରେ ପରିଚିତ ଥିଲେ । କେନ୍ଦ୍ର ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ। ୨୦୧୯ ମାର୍ଚ୍ଚ ୧୬ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା । ୧୦୦ରୁ ଅଧିକ କିସମର ଧାନ ସଂରକ୍ଷଣ କରି ବେଶ ଚର୍ଚ୍ଚିତ ଥିଲେ। ଜୟପୁର ଠାରୁ ୧୦ କିଲୋମିଟର ଦୂରରେ ଥିବା ପାତ୍ରପୁଟ ଥିଲା ତାଙ୍କର ଜନ୍ମ ଓ କର୍ମ ଭୂମି। ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହାନସବର୍ଗ ଠାରେ ତାଙ୍କୁ Equator of Initiative Award ପ୍ରଦାନ କରାଯାଇଥିଲା ।