୨୭ ବର୍ଷ ପରେ ବିଜେପି ଦଖଲରେ ଦିଲ୍ଲୀ । ଏଥର ରେଖା ଗୁପ୍ତାଙ୍କ ସରକାର । ଏତେଦିନ ପରେ ରାଜଧାନୀରେ ବିଜେପି ସରକାର କରିଥିବାରୁ ନେତା ଓ କର୍ମୀ ସମସ୍ତେ ଖୁସି ଥିଲେ । ସେଇଥି ଲାଗି ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ନେତା , କେନ୍ଦ୍ରମନ୍ତ୍ରୀଙ୍କ ଗହଳି ଦେଖିବାକୁ ମିଳିଥିଲା ରାଜଧାନୀ ଦିଲ୍ଲୀରେ । ହେଲେ ଏହି କାର୍ଯ୍ୟକ୍ରମରେ ନୀତିଶଙ୍କ ଦେଖା ମିଳିନଥିଲା । ଯାହାକୁ ନେଇ ଜାତୀୟଠୁ ଆରମ୍ଭ କରି ବିହାର ଗଣମାଧ୍ୟମରେ ଚର୍ଚ୍ଚା ହେଲା । କୁହାଯାଉଛି କି ନୀତିଶଙ୍କ ସହ ଏନଡିଏର ସେତେଟା ଭଲ ସମ୍ପର୍କ ଆଉ ନାହିଁ । ତେଣୁ ଶପଥଗ୍ରହଣ ଉତ୍ସବକୁ ସେ ଗଲେ ନାହିଁ । ଅବଶ୍ୟ ଏହା କେତେ ସତ କେତେ ଗପ ସେନେଇ ଉଭୟ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ସଙ୍ଗେ ସଙ୍ଗେ ମିଳିପାରିଲା ନାହିଁ ।
କିନ୍ତୁ ସମ୍ବିତ ପାତ୍ର ଏନେଇ ଖୁଲାସା କରିଛନ୍ତି । ସେପଟେ ଆରଜେଡି ବିଧାୟକ କହିଛନ୍ତି, ଦଳରେ କିଏ ସାମିଲ ହେବେ କି ନାହିଁ ସେନେଇ ଶୀର୍ଷ ନେତୃତ୍ବ ହିଁ ନିଷ୍ପତ୍ତି ନେବେ । କିଏ କୁଆଡ଼େ ଯାଉଛନ୍ତି କିଏ କୁଆଡ଼େ ଯାଉନାହାନ୍ତି ସେନେଇ କହିଲେ ଲାଭ କଣ । ହେଲେ ଆମେ ମହାଗଠବନ୍ଧରେ ରହିଛୁ । ନିର୍ବାଚନ ବି ଏକାଠି ଲଢିବୁ । ନୀତିଶ କୁମାର ଆରଜେଡିରେ ସାମିଲ ହୋଇ ବିଧାନସଭା ନିର୍ବାଚନ ଲଢିବେ ତେଣୁ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣ ଉତ୍ସବକୁ ସେ କାହିଁକି ଯିବେ ବୋଲି ଓଲଟି ପ୍ରଶ୍ନ କରିଥିଲେ ଆରଜେଡି ନେତା । ସେପଟେ ନୀତିଶ ଦଳରେ ଅଛନ୍ତି । ଏନଡିଏରୁ ହିଁ ସେ ନିର୍ବାଚନ ଲଢିବେ । ଏଥିରେ କୌଣସି ଦ୍ବିମତ ନାହିଁ କି ଚର୍ଚ୍ଚା କରିବାର ଆବଶ୍ୟକତା ନାହିଁ ।
ନୀତିଶଙ୍କୁ ନେଇ ବଡ଼ ବୟାନ ଦେଲେ ସମ୍ବିତ
ବିହାର ବିଧାନସଭା ନିର୍ବାଚନ ଆସୁଥିବାରୁ ସେହି ରାଜ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କୁହାଯାଉଛି କି, ନୀତିଶ ଏଥର ଏନଡିଏରେ ନୁହେଁ ଇଣ୍ଡି ମେଣ୍ଟରେ ଯୋଗ ଦେଇ ବିଧାନସଭା ନିର୍ବାଚନ ଲଢିବେ ନାହିଁ । ଏହି ଚର୍ଚ୍ଚା ଏବେର ନୁହେଁ ବରଂ ଡିସେମ୍ବରରୁ ହେଲାଣି । କୁହାଯାଉଥିଲା କି ପ୍ରତିଥର ମକର ସଂକ୍ରାନ୍ତି ପୂର୍ବରୁ ଦଳ ବଦଳାଆନ୍ତି ନୀତିଶ । ହେଲେ ମକର ଯାଇ ଶିବରାତ୍ରୀ ହେଲାଣି କିନ୍ତୁ ନୀତିଶ ଏନଡିଏରେ ଅଛନ୍ତି । ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା ପୂର୍ବତନ ଦିବଙ୍ଗତ ପିଏମ ଡକ୍ଟର ମନମୋହନ ସିଂହଙ୍କ ଶେଷ ଦର୍ଶନ ବେଳେ ନୀତିଶ ଦିଲ୍ଲୀ ଯାଇଥିଲେ ହେଲେ ବିଜେପି ନେତାଙ୍କୁ ଭେଟିନଥିଲେ ବରଂ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଥିଲେ ।
ପରେ ପରେ ଅମିତ ଶାହା ବିହାର ଗସ୍ତରେ ଯାଇଥିଲେ । ସେପଟେ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣକୁ କାହିଁକି ନୀତିଶ ଆସିଲେ ନାହିଁ ବୋଲି ପ୍ରଶ୍ନର ଉତ୍ତର ଦେଇଛନ୍ତି ସମ୍ବିତ । କହିଛନ୍ତି, ବର୍ତ୍ତମାନ ଅନେକ ରାଜ୍ୟରେ ବଜେଟ୍ ଅଧିବେଶ ଚାଲିଛି ତ ଆଉ କେଉଁଛି ପ୍ରଗତିଯାତ୍ରା ଚାଲିଛି । ତେଣୁ ଦିଲ୍ଲୀ କାର୍ଯ୍ୟକ୍ରମକୁ ଅନେକ ନେତା ଆସିପାରିଲେ ନାହିଁ । ବିହାରରେ କୌଣସି ରାଜନୈତିକ ଅସ୍ଥିରତା ନାହିଁ । ନୀତିଶ ଏନଡିଏ ସହ ଅଛନ୍ତି, ଆଗାମୀ ଦିନରେ ବି ରହିବେ । ବିଧାନସଭା ନିର୍ବାଚନ ଆମେ ସାଙ୍ଗ ହୋଇ ଲଢିବୁ, ନୀତିଶ ନେତୃତ୍ବ ନେବେ । ଆରଜେଡି କେବଳ ରାଜନୈତିକ ବୟାନ ଦେଉଛି ସେମାନଙ୍କ ଦଳକୁ ନେଇ ମିଡିଆ ଚର୍ଚ୍ଚା କରୁ । ହେଲେ ସେମିତି କିଛି ହେବ ନାହିଁ ବୋଲି ସମ୍ବିତ ସ୍ପଷ୍ଟ କରିଛନ୍ତି । ରାଜନୀତି ଲୋକଙ୍କ ଭଲ ଲାଗି କରିବାକୁ ପଡ଼େ, ଖରାପ ଲାଗି ନୁହେଁ ବୋଲି ସମ୍ବିତ କହିଛନ୍ତି ।