ପୁଣି ଜଳିଲାଣି ସ୍ମାର୍ଟ ମିଟର ନିଆଁ । ଜାଗା ଜାଗାରେ ତେଜିଲାଣି ଜନ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଉପଭୋକ୍ତା । ପ୍ରଥମେ ବାଧ୍ୟ କରାଯାଇ ସ୍ମାର୍ଟ ମିଟର ଲଗାଯାଉଛି । ଆଉ ଲାଗିଗଲା ପରେ ଦେଢ଼ଗୁଣା ବଢ଼ିଯାଉଛି ବିଜୁଳି ବିଲ୍ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି ଅନେକ ଅଭିଯୋଗ । ଯାହାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଓ ସ୍ମାର୍ଟ ମିଟର ଯୋଗାଣକାରୀ ସଂସ୍ଥା ସ୍ୱାର୍ଥରେ ରାଜ୍ୟ ସରକାର ସ୍ମାର୍ଟ ମିଟର ବସାଇବା ପାଇଁ ନେଇଥିବା ନିଷ୍ପତ୍ତି ଜନବିରୋଧୀ ବୋଲି ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।
ଖାଲି ଅନୁଗୁଳ ନୁହେଁ, ରାଜ୍ୟ ସାରା ବିଜୁଳି ଉପଭୋକ୍ତାଙ୍କ ଅସନ୍ତୋଷ ତେଜୁଥିବାବେଳେ ସାଲେପୁରରେ ମଧ୍ୟ ସମାନ ଅବସ୍ଥା । ଏନେଇ ସାଲେପୁର ଉପଭୋକ୍ତା ସିଧାଯାଇ ପହଞ୍ଚିଲେ ଟାଟା ପାୱାର ଅଫିସରେ । ସ୍ମାର୍ଟ ମିଟର ଲଗାଇବା ବନ୍ଦ କର, ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସିଧା ସିଧା ଶୁଣାଇଦେଲେ । ସେଠାରେ ଉତ୍ତ୍ୟକ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବୁଝାଇଛନ୍ତି ଟାଟା ପାୱାର ଅଧିକାରୀ । ଆଉ ସ୍ମାର୍ଟ ମିଟର ଲାଗିବ ନାହିଁ କିମ୍ବା ଏଥିପାଇଁ ଫାଇନ୍ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।
ସାରା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ଉପଭୋକ୍ତାଙ୍କ ମଧ୍ୟରେ ତେଜୁଥିବା ଅସନ୍ତୋଷ ନେଇ ଟାଟା ପାୱାର ପକ୍ଷରୁ ପ୍ରେସ୍ ରିଲିଜ ମାଧ୍ୟମରେ କୁହାଯାଇଛି ଯେ ବର୍ତ୍ତମାନ ପାଇଁ ସ୍ମାର୍ଟ ମିଟର ବସାଯିବ ନାହିଁ।
Sign in
Sign in
Recover your password.
A password will be e-mailed to you.