Odia News Portal

ନବମ ଥର ପାଇଁ ସର୍ବସମ୍ମତିକ୍ରମେ  ବିଜେଡି ସଭାପତି ହେଲେ ନବୀନ

ବିଜେଡିର ପୁଣି ସଭାପତି ଭାବେ ଶନିବାର ସର୍ବସମ୍ମତିକ୍ରମେ  ନିର୍ବାଚିତ ହୋଇଛନ୍ତି ନବୀନ। ହେଲେ ବିଜେଡି କାର୍ଯ୍ୟକାରିଣୀକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି। କାର୍ଯ୍ୟକାରିଣୀରେ କେଉଁମାନେ ସ୍ଥାନ ପାଇଲେ, ତାହା କେହି ଜାଣିପାରୁ ନାହାନ୍ତି। ବିଧିବଦ୍ଧ ଭାବେ ସେନେଇ କୌଣସି ନାମ ଘୋଷଣା ହୋଇ ନାହିଁ। ଶଙ୍ଖଭବନରେ ଏନେଇ ସମସ୍ତେ ପରସ୍ପରକୁ ପଚାରୁଥିଲେ ବି କାହା ପାଖରେ ଉତ୍ତର ନଥିଲା । ଦଳରେ ଏବେ ଭିତିରି କନ୍ଦଳ ଜୋରରେ ଚାଲିଛି। ଫଳରେ ଜାଣିଣୁଣି କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କରାଯାଇ ନଥିବା କୁହାଯାଉଛି । ସାଧାରଣ ଭାବେ ଦଳର ସଭାପତି ଘୋଷଣା ପୂର୍ବରୁ ରାଜ୍ୟ ପରିଷଦ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା ହେବା କଥା। ରାଜ୍ୟ ପରିଷଦର ୩୫୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ରହିଛି । ଆଉ ଏଥିରୁ ୮୧ ଜଣ ରାଜ୍ୟ କାର୍ଯ୍ୟକାରିଣୀରେ ସାମିଲ ହୋଇପାରିବେ। କାର୍ଯ୍ୟକାରିଣୀର ସଦସ୍ୟମାନେ ସଭାପତି ନିର୍ବାଚନ କରିଥାନ୍ତି ।

ଏକ ରାଜନୈତିକ ଦଳର କାର୍ଯ୍ୟକାରିଣୀ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । କିନ୍ତୁ ରାଜ୍ୟ ପରିଷଦ କିମ୍ବା କାର୍ଯ୍ୟକାରିଣୀ କମିଟି, କାହାରି ବି ନାଁ ଘୋଷଣା ହୋଇ ନାହିଁ। ରାଜ୍ୟ ପରିଷଦ ବୈଠକରେ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନିର୍ବାଚନ ହେବା କଥା। ତାହା ବି ହୋଇ ନାହିଁ। ବରଂ ସିଧାସଳଖ ସଭାପତି ନିର୍ବାଚନ କରାଯାଇଛି। ଯେହେତୁ ଶନିବାର ରାଜ୍ୟ ପରିଷଦ ବୈଠକ ଥିଲା, ତେଣୁ ଯେଉଁମାନଙ୍କୁ ଡକାଯାଇଥିଲା, ସେମାନେ ରାଜ୍ୟ ପରିଷଦକୁ ମନୋନୀତ ହୋଇଥିବା ସ୍ପଷ୍ଟ ହୋଇଛି । କିନ୍ତୁ ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହୋଇନଥିବା କୁହାଯାଉଛି। ଦଳର ନିୟମ ଅନୁଯାୟୀ ସବୁ ସାଂସଦ ଓ ବିଧାୟକ ରାଜ୍ୟ ପରିଷଦର ସଦସ୍ୟ ରହିଛନ୍ତି । ପୂର୍ବ ନିର୍ବାଚନରେ ଲୋକସଭା ଓ ବିଧାନସଭାରେ ପ୍ରାର୍ଥୀ ହୋଇଥିବା ନେତା ବି ପରିଷଦର ସଦସ୍ୟ ରହିବେ। ଏମାନଙ୍କ ବ୍ୟତୀତ ଆଉ କେଉଁମାନେ ସଦସ୍ୟ ରହିଲେ, ତାହା ଏବେବି ସ୍ପଷ୍ଟ ହୋଇ ନାହିଁ। ବିଜେଡିରେ ବିଦ୍ରୋହ ମୁଣ୍ଡ ଟେକୁଥିବା ପରିପ୍ରେକ୍ଷୀରେ ରାଜ୍ୟ କାର୍ଯ୍ୟକାରୀଣୀ କମିଟିକୁ ବେଶ୍ ସତର୍କତାର ସହ ଗଠନ କରାଯାଉଛି ।