Odia News Portal

ଦୟା ନଦୀ କୂଳରୁ ଅଖା ଭିତରେ ଯୁବତୀଙ୍କ ମୃତଦେହ ଉଦ୍ଧାର

ଅଖା ଭିତରେ ଯୁବତୀଙ୍କ ମୃତଦେହ । ପୁରୀ ଜିଲ୍ଲା କଣାସ ନୂଆଗାଁ ନିକଟ ଦୟା ନଦୀ କୂଳରୁ ଯୁବତୀଙ୍କ ମୃତଦେହ ମିଳିବା ପରେ ତନାଘନା ତଦନ୍ତ କରୁଛି ପୋଲିସ । ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ହତ୍ୟା ମାମଲା ରୁଜୁ କରିଛି ପୋଲିସ । ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି ପୋଲିସ । ମୃତଦେହକୁ ଜବତ କରି ପୋଷ୍ଟମର୍ଚମ ପାଇଁ ପଠାଯାଇଛି ।

ଅଖା ଭିତରେ ହାତ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଲିଥିଲା । ବିଳମ୍ବିତ ରାତିରେ ଏକ ଅଖା ଭାସି ଭାସି ଆସି ଲାଗିଥିଲା। ସ୍ଥାନୀୟ ଲୋକ ନଦୀ ତୁଠକୁ ଆସି ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଅଖା ଖୋଲିବା ପରେ ଯୁବତୀ ଜଣଙ୍କ ହାତ ଗୋଡ ପ୍ଲାଷ୍ଟିକ ଦୌଡିରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ମାତ୍ର ତାଙ୍କର କୌଣସି ପରିଚୟ ମିଳିପାରିନାହିଁ। କିଏ ଅଖା ଭିତରେ ଭର୍ତ୍ତି କରି ନଦୀକୁ ଫିଙ୍ଗିଲା? କଣ ପାଇଁ ଯୁବତୀଙ୍କୁ ହତ୍ୟା କରାଗଲା? ପ୍ରେମ ବ୍ୟାପାର , ଦୁଷ୍କର୍ମ ନା ଘରୋଇ କଳହ। ଘଟଣାସ୍ଥଳରେ ପୁରୀରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରୁଛନ୍ତି।