ପ୍ରେମ ପାଇଁ ଅନ୍ଧ ହେଲା ସ୍ୱାମୀ! ଦୁଇ ପ୍ରେମିକାଙ୍କ ସହ ମିଶି ପତ୍ନୀଙ୍କୁ ଆନେସ୍ଥେସିଆ ଇଞ୍ଜେକ୍ସିନ୍ ଦେଇ ମାରିଦେଲା! ଆଉ ଆତ୍ମହତ୍ୟାର ରୂପ ଦେଇ ପାଇଁ କିଛି ନଜାଣିଲା ପରି ମୃତଦେହକୁ ଧରି ପହଞ୍ଚିଲେ ମେଡ଼ିକାଲ୍ରେ। ହେଲେ ଡାକ୍ତର ମୃତ ଘୋଷଣା କରିବା ସହିତ ପୁଲିସ୍କୁ ସୂଚନା ଦେଇଥିଲା। ଭୁବନେଶ୍ୱର କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ଆଉ ଆଜି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଖୋଲିଗଲା ସ୍ୱାମୀଙ୍କ ସବୁ ପୋଲ୍। ପୁଲିସ୍ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ପ୍ରେମିକାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
କେନ୍ଦ୍ରାପଡା ମାର୍ଶାଘାଇ କାଶୋତି ଗାଁର ପ୍ରଦ୍ୟୁମ୍ନ କୁମାର ଦାସ ପେସାରେ ଜଣେ ଫାର୍ମାସିଷ୍ଟ୍। ୪ ବର୍ଷ ତଳେ ସେ ଭୁବନେଶ୍ୱର ବିଜେବି ନଗରର ଶୁଭଶ୍ରୀ ନାୟକଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ଉଭୟ ଭୁବନେଶ୍ୱରରେ ଘର ଭଡ଼ା ନେଇ ରହୁଥିଲେ। ଆଉ ପ୍ରଦ୍ୟୁମ୍ନ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ। ବେଶ୍ ହସଖୁସିରେ ଚାଲିଥିଲା ପରିବାର। ଏହାରି ଭିତରେ ପ୍ରଦ୍ୟୁମ୍ନଙ୍କ ଚରିତ୍ରରେ ପରିବର୍ତ୍ତନ ହୋଇଥିଲା। ପ୍ରାଇଭେଟ୍ ମେଡ଼ିକାଲ୍ରେ ନର୍ସ ଭାବେ ଚାକିରି କରୁଥିବା ଇଜିତା ଭୂୟାଁ ଓ ରୋଜି ପାତ୍ରଙ୍କ ବନ୍ଧୁତା ବନ୍ଧନରେ ପଡ଼ିବା ସେ ବଦଳିଥିବା ଅଭିଯୋଗ ହୋଇଥିଲା।
ହେଲେ ପ୍ରଦ୍ୟୁମ୍ନଙ୍କ ବନ୍ଧୁତାକୁ ବୋଧହୁଏ ଶୁଭଶ୍ରୀ ସନ୍ଦେହ କରୁଥିଲେ। ଯେଉଁଥିପାଇଁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳହ ଲାଗୁଥିଲା। ପ୍ରଦ୍ୟୁମ୍ନ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ଶୁଭଶ୍ରୀଙ୍କୁ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ତେବେ ନିର୍ଯାତନା ବଢ଼ୁଥିବା ଦେଖି ଶୁଭଶ୍ରୀ ନିଜ ବାପ ଘରକୁ ପଳାଇ ଯାଇଥିଲେ। ପତ୍ନୀ ପାଖରୁ ଗଲା ପରେ ପ୍ରଦ୍ୟୁମ୍ନ ଲଗାମ ଛଡ଼ା ହୋଇ ଯାଇଥିଲେ। ଆଉ କେତେବେଳେ କେମିତି ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଯାଇଥିଲା କେହି ଜାଣିପାରିଲେ ନାହିଁ।
ପ୍ରଦ୍ୟୁମ୍ନ ବିବାହିତ ହୋଇଥିବା ଜାଣି ମଧ୍ୟ ଉଭୟ ରୋଜି ଓ ଇଜିତା ପ୍ରେମରେ ପଡ଼ିଥିବା ଚର୍ଚ୍ଚା ହେଉଛି। ତା’ପରେ ଆରମ୍ଭ ହୋଇଥିଲା ଅସଲ ଖେଳ। ପ୍ରଦ୍ୟୁମ୍ନଙ୍କ ଜୀବନରୁ ଶୁଭଶ୍ରୀଙ୍କୁ ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ସିଆର୍ପି ଛକରେ ପ୍ରଦ୍ୟୁମ୍ନ, ରୋଜି ଓ ଇଜିତା ମିଶି ଶୁଭଶ୍ରୀଙ୍କୁ ହତ୍ୟା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ରୋଜି ଚାକିରି କରୁଥିବା ହସ୍ପିଟାଲ୍ରୁ ଆଣିଥିଲେ ଇଞ୍ଜେକସିନ୍।
ଗତ ୨୭ ତାରିଖରେ ପ୍ରଦ୍ୟୁମ୍ନ ତାଙ୍କ ଶ୍ୱଶୁର ଘର ଯାଇଥିଲେ। ଆଉ ବୁଝାଇସୁଝାଇ ପତ୍ନୀ ଶୁଭଶ୍ରୀଙ୍କୁ ସାଥୀରେ ନିଜର ଭଡ଼ା ଘରକୁ ଆଣିଥିଲେ। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଶୁଭଶ୍ରୀଙ୍କୁ ଧରି ପ୍ରଦ୍ୟୁମ୍ନ ନିଜ ପ୍ରେମିକା ରୋଜିଙ୍କ ଭଡ଼ା ଘର ସାମପୁରକୁ ଯାଇଥିଲେ। ଏମାନେ ସେଠାରେ ପହଞ୍ଚିବା ପୂର୍ବରୁ ରୋଜିଙ୍କ ଘରେ ଇଜିତା ଥିଲେ। ସେଠାରେ ପ୍ରଦ୍ୟୁମ୍ନ, ରୋଜି ଓ ଇଜିତା ମିଶି ବଳପୂର୍ବକ ଶୁଭଶ୍ରୀଙ୍କୁ ଆନେସ୍ଥସିଆ(Mezolam and KCl) ଓଭର ଡୋଜ୍ ଇଞ୍ଜେକ୍ସିନ୍ ଦେଇଥିଲେ। ଯାହାଫଳରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଆଉ କିଛି ନଜାଣିଲା ପରି ଶୁଭଶ୍ରୀଙ୍କୁ ଧରି କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଥିଲେ ପ୍ରଦ୍ୟୁମ୍ନ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ୍ ହସ୍ପିଟାଲ୍ ପକ୍ଷରୁ ଏନେଇ ଭରତପୁର ଥାନାକୁ ସୂଚନା ଦିଆଯାଇଥିଲା। କମିଶନରେଟ୍ ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ସାଣ୍ଟିଫିକ୍ ଟିମ୍ ମାଧ୍ୟମରେ ତଦନ୍ତ ଚଳାଇଥିଲା। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଆସିଥିଲା ଭୟଙ୍କର ତଥ୍ୟ। ଶୁଭଶ୍ରୀ ଆତ୍ମହତ୍ୟା କରିନଥିଲେ, ବରଂ ତାଙ୍କୁ ଆନେସ୍ଥେସିଆ ଇଞ୍ଜେକ୍ସିନ୍ ଓଭର ଡୋଜ୍ ଦିଆଯାଇଥିବା ରିପୋର୍ଟରେ କୁହାଯାଇଥିଲା। ଏହା ପରେ ତତ୍ପର ହୋଇଥିଲା ପୁଲିସ୍।
ପୁଲିସ୍ ପ୍ରଥମେ ଶୁଭଶ୍ରୀଙ୍କ ସ୍ୱାମୀ ପ୍ରଦ୍ୟୁମ୍ନଙ୍କୁ ଉଠାଇ ଅଣିଥିଲା। ତାଙ୍କୁ ଜେରା ପରେ ସବୁ ଘଟଣା ସାମ୍ନାକୁ ଆସିଥିଲା। ଶୁଭଶ୍ରୀଙ୍କୁ ଆନେସ୍ଥେସିଆ ଇଞ୍ଜେକ୍ସିନ୍ ଦେଇ ହତ୍ୟା କରିବାରେ ଦୁଇ ପ୍ରେମିକା ନର୍ସ ରୋଜି ଓ ଇଜିତାଙ୍କ ହାତ ଥିବା ସ୍ପଷ୍ଟ ହୋଇଥିଲା। ଏପରିକି ସେମାନେ ସବୁ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ପୁଲିସ୍ ୩ ଜଣଙ୍କୁ ଗିରଫ କରି ତଦନ୍ତ ଚଳାଛି।