Odia News Portal

ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ

ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆନ୍ଧ୍ରପ୍ରଦେଶ ତତ୍‌ସଲଗ୍ନ ଉତ୍ତର ତାମିଲନାଡୁ ଉପକୂଳରେ ସକ୍ରିୟ ରହିଛି l ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି । ଏଥିସହ ୨୪ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

ପ୍ରଭାବରେ ଆଜିଠୁ ରାଜ୍ୟରେ ପୁଣି ବର୍ଷା ହେବ । ଦୁଇ ଦିନ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୭ଟି ଜିଲ୍ଲା କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ଆଲର୍ଟ କରାଯାଇଛି ।ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ନୟାଗଡ, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟମ ଧରଣ ବର୍ଷା ସମ୍ଭାବନା ରହିଛି । ୨୫ ତାରିଖରେ ୧୧ ଜିଲ୍ଲାରେ ହାଲୁକା ବର୍ଷା ପୂର୍ବାନୁମାନ କରାଯାଇଛି ।

ଯେଉଁଠି ଦେଖିବେ ଅମଳ ବେଳକୁ ପାଣିରେ ବୁଡ଼ିଛି ହେକ୍ଟର ହେକ୍ଟର ଧାନ କ୍ଷେତ । କଳେଇ ଟେକିଲା ବେଳକୁ ଧାର ଧାର ପାଣି ଝରୁଛି, ଚାଷୀ ଆଖିରୁ ଲୁହ ବି ଗଡୁଛି । ରାଜସ୍ୱ ମନ୍ତ୍ରୀ କହିଛନ୍ତି, ୩/୪ ଦିନ ଭିତରେ ଆକଳନ କରାଯାଇ ପଞ୍ଚମ ଦିନରେ ଚାଷୀଙ୍କୁ କ୍ଷତିପୂରଣ ମିଳିବ ।ଯିଏ ମାଟି ସହ ମାଟି ହୋଇ ସୁନା ଫଳାଇଥିଲା, ପ୍ରତିକୂଳ ସ୍ଥିତି ଭିତରେ ବର୍ଷକର ଦାନାପାଣି ଯୋଗାଡ଼ କରୁଥିଲା…ସେସବୁ ଏବେ ମାଟିରେ ଲୋଟି ଉଜୁଡ଼ିବା ପରେ ଆଉ ବା’ କ’ଣ ଅଛି? ଭଦ୍ରକ ଜିଲ୍ଲା ଭୈରବପୁର ଗାଁର ଅନ୍ନପୂର୍ଣ୍ଣା ସାହୁ । ୠଣ ଆଣି ଭାଗ ବଖରା ହିସାବରେ ଗମେଇ ନଦୀକୂଳରେ ଚାଷ କରିଥିଲେ ୨ ଏକର ।ପ୍ରଥମେ ସ୍ୱଳ୍ପ ବର୍ଷା ବାଟ ଓଗାଳିଥିଲା । ପରେ ଧାନର ଥୋଡ଼ ବାହାରିବା ବେଳକୁ ବାତ୍ୟା ଦାନା ନଷ୍ଟ କରିଥିଲା । ଆଉ ଯାହା କିଛି ବଞ୍ଚିଥିଲା, ଅମଳ ବେଳକୁ ବିଲ ମଝିରେ ଅଦିନିଆ ବର୍ଷା ଭସାଇଦେଲା । ସମାନ ଦୁର୍ଦ୍ଦଶା ଏହି ଗାଁର ନିର୍ମଳ ଅଗସ୍ତି, ବଳରାମ ସାହୁଙ୍କର । ଧାରକରଜ କରି ଚାଷ କରିଥିବା ଏହି ଚାଷୀମାନେ ଏବେ ସରକାରୀ ସହାୟତା ଅପେକ୍ଷାରେ ।ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର । କେଉଁଠି ବିଲରେ ଧାନ କଟା ହୋଇ ପଡ଼ିଛି ତ ଆଉ କେଉଁଠି ଗଦା ମରା ହୋଇଛି । କିନ୍ତୁ ଏସବୁକୁ ନଷ୍ଟ କରିଦେଇଛି ବିଲ ମଝିରେ ଲହଡ଼ି ମାରୁଥିବା ଅଦିନିଆ ବର୍ଷା ପାଣି । କଳେଇ ଟେକିଲା ବେଳକୁ ପାଣି ତ ଝରୁଛି, ତା’ସହ ଚାଷୀ ଆଖିରୁ ଲୁହ ବି ଝରୁଛି ।କଟକ ନିଶ୍ଚିନ୍ତକୋଇଲି ବ୍ଲକ ହଳଧରପୁର ଗାଁରେ ବର୍ଷା ଛାଡ଼ିବା ପରେ ଗାଁ ଦାଣ୍ଡ ରାସ୍ତା କଡ଼ରେ ବତୁରା ଧାନ କଳେଇକୁ ଶୁଖାଇ ଦି ମୁଠା ଦାନା ଯୋଗାଡ଼ ପାଇଁ ଚେଷ୍ଟା କରୁଛି ଚାଷୀ । ଏଭଳି ଭାବେ ଲଘୁଚାପ ବର୍ଷାରେ ଗଞ୍ଜାମ ଜିଲ୍ଲାର ଚାଷୀ ବି ସାଂଘାତିକ କ୍ଷତି ସହିଛନ୍ତି । ବୁଗୁଡ଼ା, ଧରାକୋଟ ପୁରୁଷୋତ୍ତମପୁର, ପୋଲସରା, କବିସୂର୍ଯ୍ୟନଗର, ଆସିକା, ଧରାକୋଟ ଆଦି ବ୍ଲକରେ ପାଣିରେ ଭାସୁଛି ଚାଷୀର ଭାତହାଣ୍ଡି ।କେବଳ ଧାନ ନୁହେଁ, ଅମଳକ୍ଷମ ପରିବା ବି କୋହଲା ପାଗ ସହ ବର୍ଷା ମାଡ଼ରେ ନଷ୍ଟ ହୋଇଛି । ବିଶେଷ କରି ଆସିକା, ଆଠଗଡ଼, ବାଙ୍କି ଆଦି ଇଲାକାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି, ଆସନ୍ତା ୩/୪ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଆସିବ । ପଞ୍ଚମ ଦିନରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ତା’ସହ ଧାନ ସଂଗ୍ରହ ବେଳେ ଏହାର ମାନ ନେଇ କୋହଳ ହେବାକୁ ଜିଲ୍ଲା ପ୍ରଶାସନକୁ ଅପିଲ୍ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।