କଟକରେ କବାଡି କ୍ରେଜ୍ । ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କବାଡି ମହାକୁମ୍ଭ । ଓଡ଼ିଶାକୁ ଚଳିତ ବର୍ଷ ୭୧ତମ ଜାତୀୟ ସିନିୟର ପୁରୁଷ କବାଡି ଚାମ୍ପିୟନଶିପ ଆୟୋଜନର ସୁଯୋଗ ମିଳିଛି । ତେଣୁ କଟକରେ ଦେଶର ପ୍ରାୟ ସବୁ ଅନ୍ତର୍ଜାତୀୟ କବାଡି ଷ୍ଟାରଙ୍କ ସହ ପ୍ରୋ-କବାଡି ଲିଗର ଷ୍ଟାର ଖେଳାଳିଙ୍କୁ ଦେଖିବାକୁ ମିଳୁଛି । ୩୦ଟି ରାଜ୍ୟର ସିନିୟର କବାଡି ଟିମ୍ ସହ ଭାରତୀୟ ରେଳବାଇ ଓ ସର୍ଭିସେସ୍ ଟିମ୍ ଏହି ଚାମ୍ପିଅନସିଶରେ ଭାଗ ନେଇଛନ୍ତି ।
ଅନ୍ତର୍ଜାତୀୟ କବାଡି ପ୍ରତିଭାମାନଙ୍କ ଯୋଗଦାନ ଫଳରେ ଚଳିତ ଚାମ୍ପିଅନଶିପ ବେଶ ରୋମାଞ୍ଚକର ହୋଇଛି । ଏହି ଚମ୍ପିୟନସିଶରେ ଉତ୍ତର ପ୍ରଦେଶର ଅନ୍ତର୍ଜାତୀୟ ଖେଳାଳି ରାହୁଲ ଚୌଧୂରୀ ଓ ଅର୍ଜୁନ ଦେଶାଇଙ୍କ ଭଳି ଖେଳାଳି ଭାଗ ନେଇଥିବାରୁ ପ୍ରତିଯୋଗିତାର ମାନ ଅଧିକ ବଢିଯାଇଛି । ସେହିପରି ଚଣ୍ଡିଗଡର ଅନ୍ତର୍ଜାତୀୟ କବାଡି ଷ୍ଟାର ପୱନ କୁମାରଙ୍କୁ ନେଇ ମଧ୍ୟ କ୍ରୀଡ଼ା ପ୍ରେମୀଙ୍କ ମଧ୍ୟରେ କ୍ରେଜ୍ ଦେଖିବାକୁ ମିଳିଛି । ଓଡିଶା କବାଡିକୁ ଏହି ଆୟୋଜନ ବୁଷ୍ଟ କରିବ ବୋଲି ଜୁନିଅର କବାଡି ଖେଳାଳି ମତ ଦେଇଛନ୍ତି । ଏହି ଚାମ୍ପିୟନଶିପରେ ଓଡିଶା ଟିମ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଛି ।