Odia News Portal

ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ

ସମ୍ବଲପୁର: ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ଗିରଫ ହେବେ ଅଭିଯୁକ୍ତ । କେବଳ ସେତିକି ନୁହେଁ ବରଂ ନିଆଁ ଲଗାଉଥିବା ବିଷୟରେ ଖବର ଦେଲେ ମିଳିବ ୫ ହଜାର ଟଙ୍କାର ପୁରସ୍କାର ରାଶି । ଏନେଇ ସମ୍ବଲପୁର ଡିଏଫ୍‌ଓ ସୂଚନା ପ୍ରଦାନ କରିଛନ୍ତି । ରାଜ୍ୟରେ ଜଙ୍ଗଲ ନିଆଁ ବନ ବିଭାଗର ଚିନ୍ତା ବଢ଼ାଇଥିବା ସମୟରେ ନିଆଁ ଆୟତ୍ତ ଓ ନିଆଁ ଯେପରି ନଲାଗିବା ସେ ନେଇ ସମ୍ବଲପୁର ଡିଏଫଓ ବଡ ପଦକ୍ଷେପ ନେଇଛନ୍ତି |

ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ବିଷୟରେ ସୂଚନା ଦେଲେ ସୂଚନା ପ୍ରଦାନକାରୀଙ୍କୁ ୫ ହଜାର ପୁରସ୍କାର ରାଶି ଘୋଷଣା କରାଯିବ । ସେହିପରି ଜଙ୍ଗଲକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କ ଠିକଣା ରଖିବ ବନବିଭାଗ | ଯେଉଁ ବ୍ୟକ୍ତି ଜଙ୍ଗଲକୁ ପ୍ରବେଶ କରିଥିବେ ସେହି ବ୍ୟକ୍ତି ଜଣାଇବେ ନିଆଁ କିଏ ଲଗାଇଲା । ନହେଲେ ସମ୍ପୃକ୍ତ ସ୍ଥାନରେ ନିଆଁ ଲଗାଇଥିବା ଅଭିଯୋଗରେ ତାଙ୍କ ନାଁରେ ଆକ୍ସନ ଗ୍ରହଣ କରାଯିବ । ଗିରଫ କରାଯାଇ ଜେଲ୍ ପଠାଇବାର ବ୍ୟବସ୍ଥା ଅଛି ବୋଲି ଡିଏଫଓ କହିଛନ୍ତି । ଗତକାଲି ସମ୍ବଲପୁର ସଦର ଡିଭିଜନରେ ୧୧୫ ସ୍ଥାନରେ ନିଆଁ ଲାଗିଥିବା ବେଳେ ଆଜି ୫୭ ଟି ସ୍ଥାନରେ ନିଆଁ ଲାଗିଛି | ଯାହାକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରହିଛି ।