Odia News Portal

ଚିକିତ୍ସା ନାଁରେ ନାବାଳିକାକୁ ଡାକ୍ତରଙ୍କ ଅସଦାଚଣ ଅଭିଯୋଗ

ଆଜିବି ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ଭାବେ ବିଶ୍ୱାସର ସହ ଗ୍ରହଣ କରିଥାନ୍ତି ସାଧାରଣ ଲୋକେ। ମାତ୍ର ବିଶ୍ୱାସ କରାଯାଉ ଥିବା ଦ୍ୱିତୀୟ ଭଗବାନ ଯଦି ହାୱାନ ଭଳି କାର୍ଯ୍ୟ କରିବେ ତେବେ ସାଧାରଣ ଲୋକ କାହାକୁ ବିଶ୍ୱାସ କରି ଡାକ୍ତର ଖାନାକୁ ଆସିବେ। ଯାହା ଏବେ ସବୁଠାରୁ ବଡ଼ପ୍ରଶ୍ନ ହୋଇ ମୁଣ୍ଡ ଟେକିଛି। ତେବେ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସ୍ଥିତ PRM ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ। ଏଠାରେ କାର୍ଯ୍ୟରତ ଶିଶୁରୋଗ ଚିକିତ୍ସା ବିଭାଗରେ କର୍ତ୍ତବ୍ୟରତ ଡାକ୍ତରଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଚିକିତ୍ସା ବାହାନାରେ ୧୪ ବର୍ଷର ନାବାଳିକାକୁ ଅସଦାଚଣର ଅଭିଯୋଗ ଆଣିଲେ ପରିବାର ଲୋକ। ଥାନାରେ ଏତଲା।ସଂପୃକ୍ତ ଡ଼ାକ୍ତରଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରିରଖୀଛି ବାରିପଦା ଟାଉନ ଥାନା ପୋଲିସ।

ଲିଖିତ ଅଭିଯୋଗ ମୁତାବକ ବଡ଼ସାହି ଅଞ୍ଚଳର ଜନୈକା ନାବାଳିକା ଏକ ସରକାରୀ ଛାତ୍ରୀ ନିବାସରେ ରହି ସପ୍ତମ ଶ୍ରେଣୀରେ ପାଠ ପଢ଼ିଆସୁଛନ୍ତି। ଗତକାଲି ରାତିରେ ଛାତ୍ରୀ ଜଣଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥିଲା। ଫଳରେ ପେଟ ଓ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଯନ୍ତ୍ରଣା ଅସହ୍ୟ ହେବାରୁ ଛାତ୍ରୀ ନିବାସର ମେଟ୍ରନ୍ ଛାତ୍ରୀଙ୍କ ଅଭିଭାବକଙ୍କୁ ଫୋନ୍ ଦ୍ବାରା ଖବର ଦେଇଥିଲେ। ଖବରପାଇ ଛାତ୍ରୀଙ୍କର ମାଆ ଓ ପରିବାର ସଦସ୍ୟ ଆସି ତାଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁରୋଗ ଚିକିତ୍ସା ବିଭାଗକୁ ନେଇଥିଲେ। ଏଠାରେ ଉପସ୍ଥିତ ଥିବା ପେଡିଆଟ୍ରିକ୍ ଡାକ୍ତର ସୌରଭ ଉପାଧ୍ୟାୟ ଛାତ୍ରୀଙ୍କୁ ଚେମ୍ବରକୁ ଡାକିଥିଲେ ଏବଂ ଚେମ୍ବରରୁ ଛାତ୍ରୀଙ୍କ ମାଆ ଓ ଉପସ୍ଥିତ ମେଟ୍ରନଙ୍କୁ ମଧ୍ୟ ବାହାରକୁ ବାହାର କରି କବାଟ ବନ୍ଦ କରିଦେଇଥିଲେ।

କିଛି ସମୟ ପରେ ଛାତ୍ରୀ ଜଣକ କାନ୍ଦି କାନ୍ଦି ବାହାରକୁ ଦୌଡ଼ି ଆସିଥିଲେ ଏବଂ ଡାକ୍ତର ତାଙ୍କପ୍ରତି କରିଥିବା ଅସଦାଚରଣ ବାବଦରେ ନିଜର ମାଆଙ୍କୁ ସବୁ ଜଣାଇଥିଲେ। ଡାକ୍ତର ଜଣଙ୍କ ଡ୍ୟୁଟି ସମୟରେ ନିଶାସକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଫଳରେ ହସ୍ପିଟାଲ ପରିସରରେ କିଛିସମୟ ଧରି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ କିଛି ସମୟ ମଧ୍ୟରେ ବାରିପଦା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଶେଷରେ ପୀଡ଼ିତାଙ୍କ ମାଆଙ୍କର ଲିଖିତ ଅଭିଯୋଗ ଆଧାରରେ ଡ଼ାକ୍ତରଙ୍କୁ ମେଡିକାଲ ଯାଞ୍ଚ କରାଇ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଡ଼ାକ୍ତରଙ୍କୁ ଅଟକ ରଖି ଘଟଣାର ତଦନ୍ତ ପାଇଁ ପଚରାଉଚରାଜାରି ରଖିଛି ବାରିପଦା ଥାନା ପୋଲିସ। ଅନ୍ୟପଟେ ଅଭିଯୁକ୍ତ ଡାକ୍ତରଜଣଙ୍କ ଏଭଳି କିଛି ଘଟଣା ଘଟିନଥିବା କହିଥିବା ବେଳେ ସେ କେବଳ ଜଣେ ଡାକ୍ତର ହିସାବରେ ରୋଗୀକୁ ଚିକିତ୍ସା କରିବା ପାଇଁ ସ୍ୱାସ୍ଥ୍ୟ ପରୀକ୍ଷା ନିରୀକ୍ଷା ନିମନ୍ତେ ଯାହା ଯାହା ଆବଶ୍ୟକ ଥାଏ ତାହାହିଁ କରିଥିବା କହିଛନ୍ତି ।

ତେବେ ପୋଲିସର ତଦନ୍ତ ପରେ ଏହି ସ୍ପର୍ଶକାତର ତଥା ସମ୍ବେଦନଶୀଳ ଘଟଣାର ସଠିକ ତଥ୍ୟ ସାମ୍ନାକୁ ଆସିବ। ଅନ୍ୟପଟେ ଜଣେ ସରଳ ନିରିହା ନାବାଳିକା ଛାତ୍ରୀ ଅସୁସ୍ଥ ରହି ଯନ୍ତ୍ରଣାରେ ଛଟପଟ ହେଉଥିଲା ବେଳେ ସେବାର ମୂର୍ତ୍ତିମନ୍ତ ଅବତାର ଦ୍ୱିତୀୟ ଭଗବାନ ଡାକ୍ତରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିବା ପଛରେ କିଛି ତ ସତ୍ୟତା ରହିଥିବା ଆଲୋଚନା ହେଉଛି। ତେବେ ଘଟଣାକୁନେଇ ଆଗକୁ ପୋଲିସର କିପ୍ରକାର କାର୍ଯ୍ୟାନୁଷ୍ଠାନ ହେଉଛି ତାଉପରେ ସମସ୍ତଙ୍କ ନଜର।