ଘରେ ପଶି ମହିଳାଙ୍କ ତଣ୍ଟି କାଟି ଦେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ଚୌଦ୍ୱାର ଆଗ୍ରାହାଟ ଗାଁରେ ଘଟିଛି ଏହି ଅଘଟଣ । ଘରେ ପଶି ମହିଳାଙ୍କୁ ତଣ୍ଟି କାଟି ଦୁର୍ବୃତ୍ତ ହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ମହିଳା ହେଲେ ଆଗ୍ରାହାଟ ଗାଁର ବିଧବା ମହିଳା ସୁପ୍ରିୟା ସାହୁ । ଆଜି ଦିପହରରେ ସୁପ୍ରିୟା ଘରେ ଏକା ଶୋଇଥିଲେ । ଏହି ସମୟରେ କିଛି ବ୍ୟକ୍ତି ଘରେ ପଶି ତାଙ୍କ ମୁହଁରେ କପଡ଼ା ବାନ୍ଧି ତଣ୍ଟି କାଟି ହତ୍ୟା ଉଦ୍ୟମ କରିଥିଲେ ।
ପଡ଼ୋଶୀ ଘଟଣା ସଂପର୍କରେ ପୁଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ମହିଳାଙ୍କୁ ଆମ୍ୱୁଲାନ୍ସ ସହାୟତାରେ କଟକ ବଡ଼ମେଡିକାଲକୁ ନେଇ ଭର୍ତ୍ତି କରିଛନ୍ତି । ସୁପ୍ରିୟାଙ୍କ ସ୍ୱାମୀ କେଶବ ସାହୁ ଗତ ଛଅ ମାସ ତଳେ ମୃତ୍ୟୁବରଣ କରିଥିଲେ । ଏବେ ଶଶୁରଙ୍କ ସହ ଘରେ ରହୁଥିଲେ ସୁପ୍ରିୟା l ଏଭଳି ଅବସ୍ଥାରେ ମହିଳାଙ୍କୁ ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଂଚଳରେ ଆତଙ୍କ ସୃଷ୍ଟି କରିଛି । କିଏ କାହିଁକି ସୁପ୍ରିୟାଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ କଲା। ସେନେଇ ପୁଲିସ ତଦନ୍ତ ଚଳାଇଛି ।