Odia News Portal

ଗୋପାଳ ଦାସ ମାନସିକ ସ୍ଥିତି ଯାଞ୍ଚ ଆବେଦନ ଖାରଜ

କ୍ରାଇମ୍‌ବ୍ରାଞ୍ଚକୁ ଝଟକା । ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଯାଞ୍ଚ ନେଇ ହୋଇଥିବା ଆବେଦନ ଖାରଜ ହୋଇଯାଇଛି । ଝାରସୁଗୁଡା ଜେଏମ୍‌ଏଫ୍‌ସି-୧ କୋର୍ଟ ଏହାକୁ ଖାରଜ କରିଛନ୍ତି । ଆବେଦନ ଖାରଜ ହେବା ପରେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି, କୋର୍ଟଙ୍କ ରାୟର ନକଲ ଏପର୍ଯ୍ୟନ୍ତ ମିଳି ପାରିନାହିଁ । ନକଲ ମିଳିବା ପରେ ଆଇନ୍ ବିଭାଗ ସହ ଆଲୋଚନା କରାଯିବ । ଆବଶ୍ୟକ ପଡ଼ିଲେ ଉପର କୋର୍ଟକୁ ଯିବୁ ବୋଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା ନେଇ ପୁରୁଣା ଇତିହାସ ରହିଛି । ତାଙ୍କ ମାନସିକ ଅବସ୍ଥାର ଯାଞ୍ଚ କରିବାକୁ ଏକ ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଗଠନ କରାଯାଇଥିଲା । ଯେଉଁଥିରେ ୪ ଜଣ ମାନସିକ ରୋଗ ବିଶେଷଜ୍ଞ ରହିଥିଲେ । ୪ ଜଣିଆ ଟିମ୍ ସ୍ୱାସ୍ଥାବସ୍ଥା ଯାଞ୍ଚ କରିଥିଲେ । ଯାଞ୍ଚ ଝାରସୁଗୁଡାରେ ହୋଇଥିଲା । ହେଲେ ଏହାପରେ ବୋର୍ଡ ନିଷ୍ପତ୍ତି ନେଲେ ଯେ ଗୋପଳଙ୍କ ମାନସିକ ସ୍ୱାସ୍ଥ୍ୟର ସ୍ଥିତି ସମ୍ପର୍କରେ ଅଧିକ ଅନୁଧ୍ୟାନ ଆବଶ୍ୟକ ।

ଏହା ବାଙ୍ଗାଲୋରସ୍ଥିତ ନିମ୍‌ହାନ୍ସରେ କରାଇବାକୁ ନିଷ୍ପତ୍ତି ହୋଇଥିଲା । ଏନେଇ କୋର୍ଟରେ ଆବେଦନ କରାଯାଇଥିଲା । ହେଲେ କୋର୍ଟ କ୍ରାଇମ୍‌ବ୍ରାଞ୍ଚର ଏହି ଆବେଦନକୁ ଖାରଜ କରିଛନ୍ତିି । ସୂଚନାଯୋଗ୍ୟ ମନ୍ତ୍ରୀ ହତ୍ୟାକାଣ୍ଡ ପରେ ଗୋପାଳଙ୍କ ପରିବାର ଗଣମାଧ୍ୟମ ସାମ୍ନାକୁ ଆସି ସେ ମାନସିକ ରୋଗୀ ବୋଲି କହିଥିଲେ । ତେଣୁ କ୍ରାଇମ୍‌ବ୍ରାଞ୍ଚ ଏଥିପାଇଁ ତାଙ୍କ ମାନସିକ ସ୍ଥିତି ଯାଞ୍ଚ ଉପରେ ଗୁରୁତ୍ୱ ଦେଉଛି ।