Odia News Portal

ଗୋଟିଏ ଦିନରେ ୬ ଜଣ ନେଲେ ସଲିଳ ସମାଧି

ଗୋଟିଏ ଦିନରେ ୩ଟି ସ୍ଥାନରୁ ଆସିଲା ପାଣିରେ ବୁଡ଼ି ମୃତ୍ୟୁ ହୋଇଥିବା ଖବର । ଚାଲିଗଲା ୬ଟି ନିରୀହ ଜୀବନ ।  ନୟାଗଡ଼ ଦଶପଲ୍ଲା ଥାନା ଗୋଡ଼ିବିଡା ଗାଁରେ ବଡ଼ ଅଘଟଣ । ପାଣିରେ ବୁଡି ଚାଲିଗଲା ୩ ନାବାଳକଙ୍କ ଜୀବନ । ମୃତକ ମାନେ ହେଲେ ଗୋଡ଼ିବିଡା ଗାଁର ଉମାକାନ୍ତ ନାୟକ, ଖାଲମଡା ଗାଁର ରିତେଶ ପ୍ରଧାନ ଓ ବାହାଡାଝୋଲା ପୋଡ଼ାସାହି ଗାଁର ଶୁଭ ଖିଲାର । ରିତେଶ ଓ ଶୁଭ ଏକ ବିବାହ କାର୍ଯ୍ୟରେ ଯୋଗ ଦେବାପାଇଁ ପରିବାର ସହ ଗୋଡ଼ିବିଡା ଗାଁକୁ ଆସିଥିଲେ l ସକାଳୁ ଉମାକାନ୍ତଙ୍କ ସହ ମିଶି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ l ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପୋଖରୀ ନିକଟରୁ ନାବାଳକଙ୍କ ସାଇକେଲ ଓ ଚପଲ ମିଳିଥିଲା l ଏହାପରେ ୩ ଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା  l ସେମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଲାପରେ ଡାକ୍ତର ମୃତ ଘୋଷଣା କରିଥିଲେ l ୩ ନାବାଳକଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । 

ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ନଦୀରେ ବୁଡ଼ି ଚାଲିଯାଇଛି ୨ଜଣଙ୍କ ଜୀବନ । ହରିଚନ୍ଦନପୁର ବ୍ଲକ ଗରଗଡବାହାଳ ଗାଁ ନିକଟ ମୂଷଳ ନଦୀରେ ଗାଧୋଇବା ବେଳେ ଏଭଳି ଅଘଟଣ ଘଟିଛି । ମୃତ ୨ ଯୁବକ କେନ୍ଦ୍ରାପଡା ଜିଲ୍ଲାର ହୋଇଥିବା ଜଣାପଡ଼ିଛି । ଉଭୟ ଯାଜପୁର ଡୁବୁରୀ ଟାଟା ପ୍ଲାଣ୍ଟରେ କାର୍ଯ୍ୟରତ ଥିଲେ । ମୂଷଳ ନଦୀ କୂଳରେ ପାହାଡ ଚଢ଼ି ପାଟହରା ଗୁମ୍ଫାକୁ ଯାଉଥିବା ବେଳେ ଜଣେ ଯୁବକଙ୍କ ଗୋଡ଼ ଖସି ଯାଇଥିଲା । ସେ ଅନ୍ୟ ଜଣେ ଯୁବକଙ୍କ ଗୋଡ଼କୁ ଧରି ପକାଇବାରୁ ଉଭୟ ନଦୀ ଭିତରେ ଖସି ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ଅନ୍ୟ ସାଙ୍ଗ ଦୁଇ ଜଣ ଲୋକଙ୍କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ ଆସି ଉଭୟଙ୍କୁ ଉଦ୍ଧାର କରିଥିଲା । ତେବେ ଉଭୟଙ୍କ ମୃତ୍ୟୁ ହୋଇଛି । 

ସେହିପରି କଟକରୁ ମଧ୍ୟ ଆସିଛି ଦୁଃଖଦ ଖବର,କାଠଯୋଡିରେ ବୁଡିଗଲେ ନାବାଳକ । ଗାଧୋଉଥିବାବେଳେ ୧୩ ବର୍ଷର ନାବାଳକ ସୂର୍ଯ୍ୟକାନ୍ତ ମାଝି ବୁଡିଯିବା ପରେ ତାଙ୍କୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଏସସିବି ମେଡିକାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ସୂର୍ଯ୍ୟକାନ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ୩ଜଣ ସାଙ୍ଗଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିଲେ ସୂର୍ଯ୍ୟକାନ୍ତ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ନାବାଳକଙ୍କ ଘର କଟକ ଖାନନଗର ଅଞ୍ଚଳରେ ହୋଇଥିବା ଜଣାପଡିଛି । ତେବେ ଗୋଟିଏ ଦିନରେ ଛଅ ଛଅଟି ଜୀବନ ପାଣିରେ ଚାଲିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି ।