Odia News Portal

ଗାଜିଆବାଦ ସେଫ୍‌ ହାଉସ୍‌ରେ ହସିନା

ବାଂଲାଦେଶର ବିତାଡ଼ିତ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବେ ଭାରତରେ ଶରଣ ନେଇଛନ୍ତି। ସେନା ବିମାନ ଯୋଗେ ବାଂଲାଦେଶରୁ ଆସି ଗାଜିଆବାଦ ସ୍ଥିତ ହିଣ୍ଡନ୍ ଏୟାରବେସ୍ରେ ଓହ୍ଲାଇଥିଲେ । ସେ ଏବେ ଗାଜିଆବାଦ ସ୍ଥିତ ଏକ ସେଫ୍ ହାଉସ୍ରେ ରହିଛନ୍ତି । କିନ୍ତୁ ଏଠାରେ ସେ ଅଧିକ ଦିନ ନ ରହି ବ୍ରିଟେନ ଚାଲିଯିବାକୁ ଯୋଜନା କରିଥିଲେ ।

ଏପରିକି ସୋମବାର ରାତିରେ ମଧ୍ୟ ସେ ବ୍ରିଟେନ ଯିବାକୁ ନିଷ୍ପତ୍ତି ନେଇଥିଲେ । ସେଥିପାଇଁ ବ୍ରିଟେନରେ ରାଜନୈତିକ ଆଶ୍ରୟ ନେବାକୁ ଅନୁମତି ଲୋଡିଥିଲେ । ମାତ୍ର ବ୍ରିଟେନ ସରକାର ଆଶ୍ରୟ ଦେବାକୁ ମନା କରିଦେଇଥିବା ସୂଚନା ମିଳିଛି । କୁହାଯାଉଛି ଯେ ବ୍ରିଟେନ ସରକାର ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି କି ତାଙ୍କ ଦେଶର ଇମିଗ୍ରେସନ ଆଇନରେ ଏଭଳି ବ୍ୟବସ୍ଥା ନାହିଁ । ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ସିଧାସଳଖ ବ୍ରିଟେନକୁ ଯାଆନ୍ତି ଓ ସେଠାରେ ନିଜ ଦେଶକୁ ପ୍ରତ୍ୟର୍ପଣ ହେବାରୁ ସୁରକ୍ଷା ଲାଗି ଆଶ୍ରୟ ଅନୁମତି ଲୋଡିଥାନ୍ତି ତେବେ ତାଙ୍କୁ ତାହା ମିଳିପାରିବ । କିନ୍ତୁ ହସିନା ନିଜ ଦେଶରୁ ଆସି ପ୍ରଥମେ ଭାରତରେ ଆଶ୍ରୟ ନେଇସାରିଛନ୍ତି । ଭାରତରେ ରହିସାରିବା ପରେ ବ୍ରିଟେନରୁ ରାଜନୈତିକ ଆଶ୍ରୟ ଅନୁମତି ଲୋଡିବା ବ୍ୟବସ୍ଥା ଇମିଗ୍ରେସନ ଆଇନରେ ନାହିଁ ।

ହସିନାଙ୍କ ସହ ତାଙ୍କ ଭଉଣୀ ଶେଖ ରେହନା ଅଛନ୍ତି । ରେହନାଙ୍କର ବ୍ରିଟିଶ ନାଗରିକତା ରହିଛି । ସେହିଭଳି ରେହନାଙ୍କ ଝିଅ ତୁଲିପ ସିଦ୍ଦିକ ବର୍ତ୍ତମାନ ବ୍ରିଟେନରେ ଲେବର ପାର୍ଟି ସାଂସଦ ଅଛନ୍ତି । ତେଣୁ ହସିନା ଲଣ୍ଡନକୁ ନିରାପଦ ସ୍ଥାନ ବୋଲି ବାଛିଥିଲେ । କିନ୍ତୁ ବ୍ରିଟେନରେ ତାଙ୍କୁ ରାଜନୈତିକ ଆଶ୍ରୟ ମିଳିବାର ସମ୍ଭାବନା କମ୍ । ସେହି କାରଣରୁ ସେ ହୁଏତ ଆମେରିକା କିମ୍ବା ୟୁରୋପ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଆମେରିକା ଇତିମଧ୍ୟରେ ତାଙ୍କର ଭିସା ରଦ୍ଦ କରିଦେଇଛି । ଫଳରେ ସେ ୟୁରୋପ ଯିବାର ସମ୍ଭାବନା ରହିଛି । କିନ୍ତୁ ସେଠାକୁ ଯିବା ପୂର୍ବରୁ ଭାରତରେ ସେ କିଛିଦିନ ରହିପାରନ୍ତି। ନୂଆଦିଲ୍ଲୀରେ ଥିବା ହସିନାଙ୍କ ଝିଅ ସାଇମା ୱାଜେଦ୍ ରହୁଛନ୍ତି। ସେ ଜାତିସଂଘ ପାଇଁ କାମ କରୁଛନ୍ତି । ହସିନା ଏଠାରେ ତାଙ୍କ ଝିଅଙ୍କୁ ଭେଟିବେ ।

୧୯୭୫ରେ ଯେତେବେଳେ ହସିନାଙ୍କ ପିତା ଶେଖ ମୁଜିବୁର ରହମନଙ୍କ ସମେତ ତାଙ୍କ ପରିବାର ସବୁ ସଦସ୍ୟଙ୍କୁ ସେନା ବିଦ୍ରୋହ କରି ହତ୍ୟା କରିଥିଲା ତାର କିଛି ସପ୍ତାହ ପୂର୍ବରୁ ଦୁଇଭଉଣୀ ଜର୍ମାନୀ ଚାଲିଯାଇଥିଲେ । ଫଳରେ ସେମାନେ ରକ୍ଷା ପାଇଯାଇଥିଲେ । ଏହା ପରେ ସେମାନେ ଭାରତରେ ରାଜନୈତିକ ଶରଣ ଲୋଡିଥିଲେ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଆଶ୍ରୟ ଦେଇଥିଲେ । ହସିନା ଓ ତାଙ୍କ ଭଉଣୀ ଦିଲ୍ଲୀରେ ୬ ବର୍ଷ ଧରି ଅର୍ଥାତ ୧୯୮୧ ପର୍ଯ୍ୟନ୍ତ ରହିଥିଲେ ।