ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଯବାନ ଗିରଫ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସ ବାରାକ୍ରେ ଚଢ଼ାଉ କରି ୩ ଆଇଆରବି ଯବାନଙ୍କୁ ଗିରଫ କରାଯାଇଛି । ଏଥିସହ ୧୫କେଜିର ଗଞ୍ଜେଇ ଜବତ ହୋଇଛି ।
ବୌଦ୍ଧ ଜିଲ୍ଲାକୁ ଗଞ୍ଜେଇ ହବ୍ କୁହାଯାଉଥିବା ବେଳେ ଏବେ ଗଞ୍ଜେଇ ବେପାର ଉପରେ ଅଙ୍କୁଶ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି ପୋଲିସ । ଏହି ସବୁଜ ଜହର ବେପାରୀଙ୍କ ମଧ୍ୟରେ କିଛି ଅସାଧୁ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି । ଦଲାଲଙ୍କ ସାହାଯ୍ୟରେ ହେଉଛି ଟଙ୍କା କାରବାର । ମନମୁଣ୍ଡା ଥାନା ଅଞ୍ଚଳରେ ଗଞ୍ଜେଇ କେସରେ ଥିବା ନାଁ କୁ କାଟି ଦେବା ନେଇ ଟଙ୍କା କାରବାର ହେଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କିଛି କଲ ରେକର୍ଡିଂ ଭାଇରାଲ ହୋଇଛି । ସେପଟେ ମନମୁଣ୍ଡା ଥାନା ଅଧିକାରୀ ଗଞ୍ଜେଇ ସିଜ୍ର ଗାଡ଼ିକୁ ବ୍ୟବହାର କରିଥିବା ବି ଅଭିଯୋଗ ହୋଇଛି । ଆଇଆଇସି ତରୁଣ ତପନ ବେହେରା ଗଞ୍ଜେଇ ମାଫିଆ ସହ ଟଙ୍କା ପାଇଁ ମୂଲ ଚାଲ କରୁଥିବାରର ବି ଅଡିଓ ଭାଇରାଲ ହୋଇଛି । ଘଟଣାର ତଦନ୍ତ କରିବାକୁ ସାଧାରଣରେ ଦାବି ହୋଇଛି ।