Odia News Portal

ଗଞ୍ଜାମରେ ସହରାଞ୍ଚଳ ସଂଖ୍ୟା ୨୦କୁ ବୃଦ୍ଧି

ଗଞ୍ଜାମ ହେଉଛି ରାଜ୍ୟର ସର୍ବାଧିକ ସହରାଞ୍ଚଳ ଥିବା ଜିଲ୍ଲା। ଏଠାରେ ମୋଟ ୧୮ଟି ସହରାଞ୍ଚଳ ଥିବା ବେଳେ ସେଥିରେ ରହିଛି ବ୍ରହ୍ମପୁର ମହାନଗର ନିଗମ, ହିଞ୍ଜିଳିକାଟୁ ପୌରପାଳିକା ଓ ୧୬ଟି ବିଜ୍ଞାପିତ ଅଞ୍ଚଳ ବା ଏନ୍ଏସି। ତେବେ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିନିକିଆ ଗଞ୍ଜାମ ଗସ୍ତ ବେଳେ ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼କୁ ଏନ୍ଏସି ମାନ୍ୟତା ପ୍ରଦାନ କଥା ଘୋଷଣା କରିଥିଲେ। ଏବେ ପୁଣି କୁକୁଡ଼ାଖଣ୍ଡିକୁ ନୂଆ କରି ଏନ୍ଏସି କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ଏବେ ଗଞ୍ଜାମ ଜିଲ୍ଲାରେ ମୋଟ ସହରାଞ୍ଚଳ ସଂଖ୍ୟା ୨୦କୁ ବୃଦ୍ଧି ପାଇବ। ଅପରପକ୍ଷରେ ଆସିକା ଓ ଛତ୍ରପୁର ଏନ୍ଏସି ଏବେ ପୌରପାଳିକା ମାନ୍ୟତା ପାଇବ। ଫଳରେ ଜିଲ୍ଲାରେ ପୌରପାଳିକା ସଂଖ୍ୟା ୩ ହେବ। ନୂଆ ଦୁଇ ଏନ୍ଏସିକୁ ମିଶାଇ ଜିଲ୍ଲାର ମୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ୧୬ ରହିବ। ଏକମାତ୍ର ମହାନଗର ନିଗମ ରହିବ ବ୍ରହ୍ମପୁର।

ଏହାଦ୍ୱାରା ଜିଲ୍ଲାର ବିଭିନ୍ନ ଅଞ୍ଚଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇଛି। ରାଜ୍ୟ ସରକାର ଉଚିତ ନିଷ୍ପତ୍ତି ନେଇଥିବା ସାଧାରଣରେ ମତପ୍ରକାଶ ପାଇଛି। ସମାଜର ବିିଭିନ୍ନ କ୍ଷେତ୍ରର ଲୋକ ଏ ନେଇ ଆନନ୍ଦ ବ୍ୟକ୍ତ କରିବା ସହ ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି। ବାସ୍ତବରେ ଦେଖିବାକୁ ଗଲେ ଏସବୁ ଦାବିର ବେଶ୍ ଯଥାର୍ଥତା ରହିଥିଲା ଯାହାକୁ ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷ ହୃଦୟଙ୍ଗମ କରି ପାରିଛନ୍ତି ।

ଛତ୍ରପୁର ହେଉଛି ଜିଲ୍ଲା ସଦର ମହକୁମା। ୬୯ ବର୍ଷ ପୁରୁଣା ସହର। ବର୍ତ୍ତମାନ ଜନସଂଖ୍ୟା ୩୦ ହଜାର ଛୁଇଁଲାଣି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ସହର ନିକଟରେ ଜାତୀୟ ରାଜପଥ, ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତାମ୍ପରା, ଅନେକ ଶିଳ୍ପାନୁଷ୍ଠାନ ରହିଛି। ଏହି ଘୋଷଣାକୁ ନେଇ ଛତ୍ରପୁର ସହରରେ ଆନନ୍ଦର ଲହରୀ ଖେଳିଯାଇଛି। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବିଧାୟକ ସୁବାସ ଚନ୍ଦ୍ର ବେହେରା, ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, କିଛି ଶୁଭେଛୁ ବ୍ୟାନର୍ ଧରି କୃତଜ୍ଞତା ଅର୍ପଣ କରିଥିଲେ।

କୁକୁଡାଖଣ୍ଡି ଏନଏସି ଘୋଷଣାକୁ ସ୍ୱାଗତ କରିଛନ୍ତି ଅଞ୍ଚଳବାସୀ। ବ୍ଲକ୍ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ପାତ୍ରଙ୍କ ସହ ଅଞ୍ଚଳବାସୀ ଆତସବାଜୀ ଫୁଟାଇ ଖୁସି ମନାଇଛନ୍ତି। ସେହିପରି ଆସିକା ଏନଏସିକୁ ମ୍ୟୁନିସିପାଲିଟି ଘୋଷଣାକୁ ନେଇ ସହରରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଆସିକାର ଆରାଧ୍ୟ୍ୟା ଦେବୀ ମା’ ଖମ୍ବେଶ୍ୱେରୀଙ୍କ ପୀଠରେ ଅଧ୍ୟକ୍ଷା ବିନେତା ସ୍ବାଇଁ, କାଉନସିଲର, କର୍ମଚାରୀମାନେ ପୂଜାର୍ଚ୍ଚନା କରି ବାଦ୍ୟ, ବାଣ ପଟୁଆରରେ ସହର ପରିକ୍ରମା କରିଥିଲେ। ୧୫/୧୧/୧୯୫୭ ମସିହାରେ ଆସିକା ଏନଏସି ଘୋଷିତ ହୋଇଥିଲା। ଏତେ ବର୍ଷ ପରେ ମ୍ୟୁନିସିପାଲିଟି ଘୋଷଣା କରିବା ପରେ ଶୁଭେଛା ପ୍ରଦାନ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ। ସନ୍ଧ୍ୟାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ ଓ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।