Odia News Portal

 ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ, ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର

ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ଅଡୁଆ ବଢିଲା । ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ । ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର । ଆଶ୍ରମର ଜବରଦଖଲ ଉଛେଦ ଉପରେ ଥିବା ଅଙ୍କୁଶକୁ ହଟାଇ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ସମ୍ପୃକ୍ତ ଜମି ଉପରେ ବୈକୁଣ୍ଠ ଧାମ ଟ୍ରଷ୍ଟ ପକ୍ଷରୁ ଯୋଗ ଶିକ୍ଷା ଦିଆଯାଉଛି । ସେହି ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରାଯାଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ । ତେବେ ଆଶ୍ରମ ପକ୍ଷରୁ ଦାଖଲ ହୋଇଥିବା ଅନୁମତି ପତ୍ର ନକଲି । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ କୋର୍ଟ ନିଜ ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି । ଏହାସହ ସରକାରଙ୍କ ସତ୍ୟପାଠ ଆଧାରରେ ଜବାବ ଦାଖଲ କରିବାକୁ ଆଶ୍ରମ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ସୂଚନା ଅନୁସାରେ ଜଣେ ନାବାଳକକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଚାଲିଥିବା ଅଭିଯୋଗ ହୋଇଥିଲା । ତଥାକଥିତ କୁନି କଳକୀଙ୍କ ଦରବାରରେ ଚାଲେ ଭଜନ-କୀର୍ତ୍ତନ । ବାବାଙ୍କୁ ଚାମର ଧରି ଅନୁଗତ ଦେଇଥାନ୍ତି ଆଲଟ ସେବା । ଆଉ ସେହି ଦୃଶ୍ୟ ଦେଖି କୃତ୍ୟକୃତ୍ୟ ହୋଇଥାନ୍ତି ଅନୁଗାମୀ । ଖଣ୍ଡଗିରିର ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଆସ୍ଥାନ ଉପରେ ବିରାଜିତ ବାବାଙ୍କ ସେବା ପୂଜା କରି ଶତମୁଖରେ ପ୍ରଶଂସିତ ହୋଇଥାନ୍ତି ତାଙ୍କ ଶ୍ରଦ୍ଧାଳୁ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହେଉଛି ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିଲା । ଜିଏ ବିଭାଗ ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଥିବା କହିଥିଲେ ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଥିଲେ ।