Odia News Portal

କାଲିଠୁ ଟାଇଁ ଟାଇଁ ଖରା । ଆଭ୍ୟନ୍ତରୀଣ ଓଡ଼ିଶାରେ ବଢ଼ିବ ତାପମାତ୍ରା

 ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ, ଆସନ୍ତାକାଲିଠୁ  ଟାଇଁଟାଇଁ ଖରା । ସପ୍ତାହେ ଯାଏ ଗରମର ଅନୁଭୂତି  ସହ ଖରାରୁ ତ୍ରାହି ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ରାଜ୍ୟରେ ଆସନ୍ତାକାଲିଠାରୁ ଟାଣ ଖରା ହେବାକୁ ଥିବା ବେଳେ ସବୁଠି ବଢିବ ପାରଦ ଆଉ ସବୁଠି ଗରମର ହେବ ଅନୁଭୂତି । ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ବୃଦ୍ଧି ପାଇଛି  ତାପମାତ୍ରା । ଆଗାମୀ ୪ରୁ ୫ ଦିନ ଯାଏଁ ଦିନ ଏବଂ ରାତ୍ରି ତାପମାତ୍ରା ଅଧିକା ରହିବ । ଆଜି ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । 

କିଛି ସ୍ଥାନରେ ଗରମ ଅନୁଭୁବ ହୋଇଛି । ସେପଟେ ତାପମାତ୍ରା ବୃଦ୍ଧି ସହ ଆସନ୍ତା ୪୮ ଘଣ୍ଟା ଯାଏ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଆଗାମୀ ୫ରୁ ୭ ଦିନ ଯାଏଁ ପାଗ ମୁଖ୍ୟତ ଶୁଖିଲା ରହିବା ସହ ରାତ୍ରି ତାପମାତ୍ରାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଉପକୂଳ ଓଡିଶାରେ ତାପମାତ୍ରା ରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ। ୪୮ ଘଣ୍ଟା ପାଇଁ ଘନ କୁହୁଡ଼ିର ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ୨୪ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 
ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଅନୁଗୁଳ, ଯାଜପୁର ଦେଓଗଡ ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ସତର୍କ କରାଇଛି ବିଭାଗ । ସେହିପରି ଆସନ୍ତାକାଲି ଗଂଜାମ, ଗଜପତି, ନୟାଗଡ, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଅନୁଗୁଳ, ଜଗତସିଂହପୁର,କେନ୍ଦୁଝର ଓ ମୟୁରଭଞ୍ଜ ଏହି ୧୧ ଜିଲ୍ଲାକୁ  ଘନ କୁହୁଡି  ପାଇଁ  ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୩୧ ତାରିଖରେ ହାଲୁକା ରୁ ମଧ୍ୟମ ଧରଣର କୁହୁଡି ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିବ । 

ଗତ ୨୪ ଘଣ୍ଟାରେ ୧୦ଟି ଅଞ୍ଚଳରେ ଘନ କୁହୁଡି ସହ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦେଖିବାକୁ ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ବରଗଡରେ ସର୍ବାଧିକ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ସର୍ବନିମ୍ନ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ପାହାଡ଼ିଆ ଅଞ୍ଚଳର ଜି.  ଉଦୟଗିରିରେ ସର୍ବନିମ୍ନ  ତାପମାତ୍ରା ୯.୬ ଡିଗ୍ରୀ  ରେକର୍ଡ  ହୋଇଛି । ଏହାସହ ଗତ ୨୪ ଘଣ୍ଟାରେ ଅନୁଗୁଳ କୋରାପୁଟ ଓ ନୟାଗଡ଼ରେ ଅତ୍ୟଧିକ ଘନ କୁହୁଡି  ସହ ଚାନ୍ଦବାଲି, କଟକ, କେନ୍ଦୁଝର, କେନ୍ଦ୍ରାପଡ଼ା, ଭୁବନେଶ୍ୱର ଫୁଲବାଣୀ ଓ ଜଗତସିଂହପୁରରେ ଘନ କୁହୁଡି  ଦୃଶ୍ୟମାନ ହୋଇଥିଲା ।