ଓଡ଼ିଶାରେ ହେବ ବଡ଼ ପୁଞ୍ଜିନିବେଶ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତକାଳରେ ଓଡ଼ିଶା ଇନଭେଷ୍ଟର୍ସ ମିଟରେ ବିଭିନ୍ନ ଶିଳ୍ପସଂସ୍ଥା ସହ ଓଡ଼ିଶା ସରକାରଙ୍କର ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ବୁଝାମଣା ଅନୁସାରେ , ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଭିନ୍ନ ଶିଳ୍ପସଂସ୍ଥା ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କା ବିନିଯୋଗ କରିବେ । ଏସବୁ ପ୍ରକଳ୍ପରେ ୯୫ ହଜାର ୯୧୫ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।
ବିଭିନ୍ନ ସଂସ୍ଥା ମଧ୍ୟରୁ ଓଡ଼ିଶା ସରକାର ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ- ଆଇଓସିଏଲ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାପତ୍ର ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶାରେ ଆଇଓସିଏଲ ୫୮ ହଜାର ୪୨ କୋଟି ଟଙ୍କାରେ ଡୁଆଲ ଫିଡ୍ ନାପଥା କ୍ରାକର ପ୍ରକଳ୍ପ ସ୍ଥାପନ କରିବ । ଏଥିରେ ୨୪ ହଜାର ଲୋକ ନିଯୁକ୍ତି ପାଇବେ । ମୋଟ୍ ୧୩ଟି ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିବା ବେଳେ ଓଡ଼ିଶା ଶିଳ୍ପକ୍ଷେତ୍ରରେ ବେଶ୍ ଆଗକୁ ଯିବାର ପଥ ପରିଷ୍କାର ହୋଇଛି । ବିଭିନ୍ନ ଶିଳ୍ପସଂସ୍ଥା କର୍ମକର୍ତ୍ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଲୋଚନା କରିଥିଲେ । ଓଡ଼ିଶା ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରମୁଖ ଉପସ୍ଥିତ ଥିଲେ।