Odia News Portal

ଓଡ଼ିଶାରେ ବଢ଼ିଚାଲିଛି ଏଚଆଇଭି ସଂକ୍ରମିତ: ଚିହ୍ନଟ ହେଲେଣି ୬୩୭୪୨ଜଣ

ରାଜ୍ୟରେ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିଚାଲିଛି । ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଥିବାର ଦାବି କରୁଥିଲେ ମଧ୍ୟ ବାସ୍ତବପକ୍ଷେ ତାହା ସଂକ୍ରମଣ ହାରକୁ ହ୍ରାସ କରିବାରେ ସକ୍ଷମ ହୋଇନି । ଓଲଟା ପ୍ରତିବର୍ଷ ଏହି ସଂକ୍ରମିତଙ୍କ ହାର ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୨୦୨୪ ଡିସେମ୍ବର ସୁଦ୍ଧା ମୋଟ ୬୩୭୪୨ଜଣ ଏଚଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବାବେଳେ ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ଦେଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତରରୁ ଜଣାପଡ଼ିଛି ଯେ, ୨୦୨୧-୨୨ରେ ୨୩୪୧ଜଣ ବ୍ୟକ୍ତି ଏଚଆଇଭି ସଂକ୍ରମିତ ଥିବାବେଳେ ୨୦୨୨-୨୩ରେ ୩୨୩୨ଜଣ ଓ ୨୦୨୩-୨୪ରେ ୩୪୩୬ଜଣ ଏଚଆଇଭି ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏଚଆଇଭି ସଂକ୍ରମଣ ରୋକିବାପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଇଛନ୍ତି ।

ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଓ ସଂକ୍ରମଣ ହାରକୁ ପ୍ରଶମିତ କରିବା ପାଇଁ ରାଜ୍ୟରେ ମୋଟ ୨୦ଟି ଏଆରଟି କେନ୍ଦ୍ର, ୧୭ଟି ଲିଙ୍କ୍ ଏଆରଟି ଓ ୧୨ଟି ଗୋଷ୍ଠୀ ସେବା କେନ୍ଦ୍ର କାର୍ଯ୍ୟ କରୁଛି । ଆଶଙ୍କାପ୍ରବଣ ଗୋଷ୍ଠୀଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣ ହାରକୁ ରୋକିବା ପାଇଁ ରାଜ୍ୟରେ ୫୨ଟି ଲକ୍ଷ୍ୟଭେଦୀ ପ୍ରକଳ୍ପ ଓ ୮୦୦ଟି ଗାଁରେ ୭ଟି ଲିଙ୍କ୍ ୱାର୍କର ଯୋଜନା କାର୍ଯ୍ୟକାରୀ କରୁଛି । ରାଜ୍ୟରେ ମୋଟ ୧୬୭ଟି ସ୍ୱତନ୍ତ୍ର ପରାମର୍ଶ ଓ ପରୀକ୍ଷା କେନ୍ଦ୍ର, ୭ଟି ବେସରକାରୀ ସହଭାଗିତା କେନ୍ଦ୍ର ଓ ୧୨୩୨ଟି ସୁବିଧା ପରାମର୍ଶ ଓ ପରୀକ୍ଷା କେନ୍ଦ୍ର କାର୍ଯ୍ୟ କରୁଛି ।

ରାଜ୍ୟରେ ପ୍ରବାସୀ ଶ୍ରମିଙ୍କ ମଧ୍ୟରେ ଏଚଆଇଭି ସଂକ୍ରମଣକୁ ରୋକିବା ପାଇଁ ୧୧ଟି ରେଳଷ୍ଟେସନ ଓ ବସଷ୍ଟାଣ୍ଡରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ଏଚଆଇଭି ସଂକ୍ରମିତ ଗର୍ଭବତୀ ମହିଳାଙ୍କର ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସବ କରାଇବା ପାଇଁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି ।

ତେବେ ଆଶ୍ଚର୍ଯ୍ୟର କଥା ସରକାରଙ୍କ ଏତେସବୁ ପ୍ରୟାସ ବାସ୍ତବରେ ଫଳପ୍ରଦ ହୋଇପାରିନାହିଁ । ସଚେତନତାର ଅଭାବରୁ ଏବେବି ପ୍ରତିବର୍ଷ ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।