Odia News Portal

ଓସିଏ ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା

 ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ । ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଏହି ପଦରେ ସଞ୍ଜୟ ବେହେରା ରହିଥିଲେ । ତେବେ ସଭାପତି ଦାୟିତ୍ୱ ନେବାପରେ ଲଗାତାର ଓସିଏର କାର୍ୟ୍ୟ କରିବା ଢାଞ୍ଚାରେ ପରିବର୍ତ୍ତନ ଆସିଥିଲା । ଏହାର ପ୍ରଭାବ ଖେଳାଳିଙ୍କ ପ୍ରଦର୍ଶନ ଉପରେ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଲଗାତାର ରଣଜୀ ଦଳର ଖରାପ ପ୍ରଦର୍ଶନ ଏହାର ଏକ ଜ୍ୱଳନ୍ତ ଉଦାହରଣ ।

ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । କହିଛନ୍ତି, “ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ । ବର୍ତ୍ତମାନ ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଏହି ଦାୟିତ୍ୱରୁ ମୁକ୍ତ ହୋଇଛନ୍ତି । ସେ ଓସିଏକୁ ଅଧିକ ସମୟ ଦେଇ ପାରୁନଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି । ୪୫ ଦିନ ମଧ୍ୟ ଓସିଏ ନିର୍ବାଚନ ହେବ । ସେତେ ଦିନ ପର୍ୟ୍ୟନ୍ତ ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଦାୟିତ୍ୱ ନେବେ ।”

ଗତ ଦୁଇ ବର୍ଷ ମଧ୍ୟରେ ଓଡ଼ିଶା ଦଳ କୌଣସିଟି ଟୁର୍ଣ୍ଣାମେଣ୍ଟ୍‌ରେ ଆଖି ଦୃଶିଆ ପ୍ରଦର୍ଶନ କରି ପାରିନାହିଁ । ଏହାକୁ ନେଇ ଓସିଏ ସଭାପତି ଦାୟିତ୍ୱରେ ଥାଇ ମଧ୍ୟ କୌଣସି ଉତ୍ତର ରଖି ପାରିନଥିଲେ ପ୍ରଣବ ପ୍ରକାଶ ଦାସ । ଗତ ଜୁଲାଇ ମାସରେ ଏହାକୁ ନେଇ ତାଙ୍କ ଇସ୍ତଫା ଦାବି ମଧ୍ୟ ଉଠିଥିଲା । ତେବେ ଏହାକୁ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ ତତ୍କାଳୀନ ବିଜେଡି ସାଙ୍ଗଠନିକ ସମ୍ପାଦକ । ସେ ବବି ଦାସ ଓସିଏ ପଦରୁ ଇସ୍ତଫା ଦେଇଥିବା ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।