Odia News Portal

ଓଡ଼ିଶାକୁ କେବେ ମିଳିବ ପିସିସି : ଦୌଡ଼ରେ ୬ରୁ ଅଧିକ ନେତା

 ଲମ୍ବୁଛି ପିସିସି ସଭାପତି ଚୟନ ପ୍ରକ୍ରିୟା । ଦୁଇ ସପ୍ତାହ ପରେ ବି ଏଆଇସିସିକୁ ରିପୋର୍ଟ ଦେଇନି । ୨୩ ତାରିଖ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ନିର୍ବାଚନ ପରେ ରିପୋର୍ଟ ଦାଖଲ କରିବ ବୋଲି ସୂଚନା ମିଳିଛି । ଯାହାକୁ ନେଇ ପିସିସି ସଭାପତି ନିଯୁକ୍ତି ଆହୁରି ବିଳମ୍ବ ହେବ ବୋଲି ଲାଗୁଛି । ଆସନ୍ତା ଡିସେମ୍ବରରେ ନୂଆ ପିସିସି ସଭାପତି ମିଳିପାରେ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସୂଚନା ଦେଇଛନ୍ତି ।

ପିସିସି ସଭାପତି ଚୟନ ପାଇଁ ଗତ ୪ ତାରିଖରେ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ଚରଣଦାସ ମହନ୍ତ ଓ ମୀନାକ୍ଷି ନଟରାଜନ ଓଡ଼ିଶା ଆସିଥିଲେ । କଂଗ୍ରେସ ଭବନରେ ନେତାମାନଙ୍କୁ ଭେଟିବା ସହ ଜଣ ଜଣ କରି ମଧ୍ୟ ପଚାରିଥିଲେ । ମାତ୍ର ଚୂଡ଼ାନ୍ତ ରିପୋର୍ଟ ଦାଖଲ ହୋଇପାରୁନଥିବାରୁ ପିସିସି ସଭାପତି ଚୟନ ଅଟକିଛି । ଡ଼ରେ ଏବେ ୬ରୁ ଅଧିକ ନେତାଙ୍କ ନାମ ଚର୍ଚ୍ଚା ହେଉଛି ।

ସାଂସଦ ସପ୍ତଗିରି ଉଲାକାଙ୍କ ନାମ ସବୁଠୁ ଆଗରେ । ହେଲେ ତାଙ୍କ ଜିଲ୍ଲାରୁ କଂଗ୍ରେସ ବିଧାୟକ ଦଳ ନେତା ଭାବେ ରାମଚନ୍ଦ୍ର କାଡାମଙ୍କୁ ନିଯୁକ୍ତି ମିଳିଥିବାରୁ ପୁଣି ସପ୍ତଗିରିଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଆଶା କ୍ଷୀଣ । କଟକ ବାରବାଟୀର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ନାମ ଚର୍ଚ୍ଚାରେ ରହିଛି । ପ୍ରଭାରୀ ଅଜୟ କୁମାରଙ୍କ ନିର୍ବାଚନ ପ୍ରଚାର ବେଳେ ଅଧିକାଂଶ ସମୟରେ ତାଙ୍କୁ ଦେଖିବାକୁ ମିଳିଥିଲା ।

ତେଣୁ ସେ ପରବର୍ତ୍ତୀ ପିସିସି ସଭାପତି ହୋଇପାରନ୍ତି ବୋଲି କଂଗ୍ରେସର ଗୋଟିଏ ଗୋଷ୍ଠୀ ଦାବି କରୁଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ୪ ଦିନ ଦିଲ୍ଲୀରେ ରହି ଫେରିଛନ୍ତି । ସେ ବ୍ୟକ୍ତିଗତ କାର୍ଯ୍ୟରେ ଦିଲ୍ଲୀ ଯାଇଥିଲେ ବୋଲି କହିଛନ୍ତି । କିନ୍ତୁ ଦଳର କିଛି ନେତାଙ୍କ ଅନୁଯାୟୀ ପିସିସି ସଭାପତି ଦୌଡ଼ରେ ଶ୍ରୀକାନ୍ତ ଅଛନ୍ତି ।

ନିଜେ ନ ହୋଇପାରିଲେ ତାଙ୍କ ଅନୁଗତଙ୍କୁ କରିବା ପାଇଁ ଲବି କରୁଥିବା ନେଇ ଯୁକ୍ତି ବାଢ଼ିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅନ୍ୟତମ ଆଶାୟୀ । ତାଙ୍କୁ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ସମେତ ବହୁ ଯୁବ ଓ ଛାତ୍ର ନେତା ସମର୍ଥନ କରୁଛନ୍ତି । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଗାନ୍ଧି ପରିବାର ସହ ଭଲ ସମ୍ପର୍କ ଥିବାରୁ ସେ ଆଉ ଥରେ ସୁଯୋଗ ପାଇପାରନ୍ତି । ପୂର୍ବତନ ସୁକିନ୍ଦା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ଓ ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ ମଧ୍ୟ ଲବି କରୁଥିବା ସୂଚନା ମିଳିଛି ।