Odia News Portal

ଏଥର ବିଜେଡି ଆସିଲେ ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ:ଅପରାଜିତା 

‘ବିଜେଡି ଆଉ ବିଜୁ ଜନତା ଦଳ ହୋଇ ରହି ନାହିଁ। ତାହା ଏବେ ପାଣ୍ଡୁ ଜନତା ଦଳ। ତେଣୁ ଆପଣ ଯଦି ବିଜେଡିକୁ ଭୋଟ ଦେଉଛନ୍ତି ତା’ହେଲେ ଜାଣି ରଖନ୍ତୁ ଆପଣ ପାଣ୍ଡୁଜୀଙ୍କୁ ଭୋଟ ଦେଉଛନ୍ତି । କାରଣ ବିଜେଡି ଆସିଲେ ଏଥର ନବୀନ ନୁହେଁ, ପାଣ୍ଡୁଜୀ ହେବେ ମୁଖ୍ୟମନ୍ତ୍ରୀ ।’ ଆଜି ଏପରି କହି ବିଜେଡିକୁ ସିଧାସଳଖ ଟାର୍ଗେଟ କରି ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ।

ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜଧାନୀରେ ରୋଡ ଶୋ’ କରିଥିଲେ। ରୋଡ ଶୋ’ ସରିବା ପରେ ସେ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିଥିଲେ। ତାଙ୍କ ସହ ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ପ୍ରାର୍ଥୀ ବାବୁ ସିଂ ଓ ବିଜେପିର କିଛି କର୍ମୀ ଉପସ୍ଥିତ ଥିଲେ।

ଏହି ଅବସରରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ସାଂସଦ ଷଡଙ୍ଗୀ କହିଛନ୍ତି, ‘ଓଡ଼ିଶାବାସୀ ଏବେ ସୁସ୍ଥ, ଯୁବ ଓ ଅସ୍ମିତା ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି । ଯେଉଁ ମୁଖ୍ୟମନ୍ତ୍ରୀ ସକ୍ରିୟ ଶାସନ ବ୍ୟବସ୍ଥା ସହ ଗରିବ ଓ ଯୁବ ବର୍ଗଙ୍କ ବିକାଶ, ମହିଳା ଓ ଚାଷୀଙ୍କ ବିକାଶ ପାଇଁ କାମ କରୁଥିବ । କାରଣ ଲୋକମାନଙ୍କୁ ସ୍ୱଚ୍ଛ, ପାରଦର୍ଶି ଦୁର୍ନୀତିମୁକ୍ତ ଶାସନ ଦରକାର। ରାଜ୍ୟକୁ ସକ୍ରିୟ ଓ ସୁସ୍ଥ ମୁଖ୍ୟମନ୍ତ୍ରୀ ଦରକାର। ଶାସନ ବ୍ୟବସ୍ଥା ଦୁର୍ନୀତିମୁକ୍ତ ହେବା ସହ ତାହା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିୟନ୍ତ୍ରଣାଧୀନ ହେବା ଦରକାର। ଏବେ ପରିବର୍ତ୍ତନର ହାୱା ବହୁଥିବା ବେଳେ ବିଜେଡି ମହଲରେ ଭୟ, ଡର ଓ ନୈରାଶ ଭାବନା ଭରି ରହିଛି।