Odia News Portal

ଆସ୍ଥା ଭୋଟ ଜିତିଲେ ହେମନ୍ତ ସୋରେନ୍ ; ଶପଥ ନେଲେ ୧୧ ମନ୍ତ୍ରୀ

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ୍‌ ଜିତିଛନ୍ତି। ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ‌ହେମନ୍ତଙ୍କ ଜେଏମଏମ୍‌ ନେତୃତ୍ୱାଧୀନ ଶାସକ ମେଣ୍ଟର ୪୫ ଜଣ ବିଧାୟକ ଅଛନ୍ତି। ଜେଏମଏମର ୨୭, କଂଗ୍ରେସର ୧୭ ଏବଂ ଆରଜେଡିର ଜଣେ ବିଧାୟକ ବିଧାନସଭାରେ ଅଛନ୍ତି। ସମସ୍ତ ୪୫ ସଦସ୍ୟ ଆଜି ଆସ୍ଥା ଭୋଟ୍‌ ସମୟରେ ସୋରେନଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପକ୍ଷେ ବିଧାନସଭାରେ ବିଜେପି ନେତୃତ୍ୱାଧୀନ ବି‌ରୋଧୀ ସଦସ୍ୟଙ୍କ ସଂଖ୍ୟା ୩୦। କିଛି ସଦସ୍ୟ ନିକଟରେ ଲୋକସଭାକୁ ନିର୍ବାଚିତ ହେବାପରେ ବିଧାନସଭାରେ ସଦସ୍ୟ ସଂଖ୍ୟା ୭୬କୁ ଖସି ଆସିଛି।

ଜମି ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଜେଲ୍‌ ଯାଇଥିବା ହେମନ୍ତ ସୋରେନଙ୍କୁ ଗତ ସପ୍ତାହରେ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ମଂଜୁର କରିଥିଲେ। ଜାମିନରେ ଆସିବାପରେ ସୋରେନ ପୁଣିଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସୋରେନ ଆଜି ରାଜ୍ୟ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣିଥିଲେ। ଝାଡ଼ଖଣ୍ଡ ବାଚସ୍ପତି ରବୀନ୍ଦ୍ର ନାଥ ମହତୋ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଗୋଟିଏ ଘଣ୍ଟାର ସମୟ ଦେଇଥିଲେ। ଆସ୍ଥା ଭୋଟ୍‌ ଜିତିବାପରେ ହେମନ୍ତ ସୋରେନ ଆଜି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଛନ୍ତି। ରାଜଭବନରେ ୧୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ‌ଚମ୍ପଇ ସୋରେନ୍‌ ଅଛନ୍ତି। ଜେଏମଏମରୁ ୬ ଜଣ, କଂଗ୍ରେସରୁ ୪ ଜଣ ଏବଂ ଆର‌ଜେଡିରୁ ଜଣଙ୍କୁ ମନ୍ତ୍ରୀ କରାଯାଇଛି।