ଆସନ୍ତାକାଲିଠାରୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି ଅନୁଷ୍ଠିତ ହେବ । ଏହି କାର୍ୟ୍ୟକ୍ରମରେ ସାମିଲ ହେବେ ୭୦ ରାଷ୍ଟ୍ରରୁ ଆସିଥିବା ୪ ହଜାରରୁ ଅଧିକ ପ୍ରବାସୀ । ଏଥିପାଇଁ ଚଳଚଂଚଳ ରାଜଧାନୀ । ନବବଧୂ ଭଳି ସଜେଇ ହୋଇଛି ମନ୍ଦିର ମାଳିନୀ ଭୁବନେଶ୍ବର ସହର । କାନ୍ଥବାଡ଼ରେ ଓଡ଼ିଶା ଚିତ୍ରକଳାର ଛାପ । ଆଲୋକମାଳାରେ ଝଲସୁଛି ପୁରା ସହର । କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରାଳୟ ସହଭାଗିତାରେ ଜାନୁଆରୀ ୮ରେ ଜନତା ମଇଦାନରେ ପାଳନ ହେବ ଯୁବ ପ୍ରବାସୀ ଭାରତୀୟ ଦିବସ । ୯ ତାରିଖରେ ପ୍ରବାସୀ ଭାରତୀୟ ଦିବସର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ତେବେ ପ୍ରବାସୀ ଦିବସକୁ ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ପ୍ରବାସୀ ଦିବସ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ସବୁ ବିଭାଗର ମନ୍ତ୍ରୀ ଓ ଅଫିସରମାନେ ପ୍ରସ୍ତୁତି ନେଇ ଲଗାତାର ସମୀକ୍ଷା କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରବାସୀମାନେ ମନ୍ଦିର ମାଳିନୀ ଭୁବନେଶ୍ୱରର ସବୁ ମନ୍ଦିର ବୁଲିବେ । ଏନେଇ ମନ୍ଦିର ଗୁଡ଼ିକ ସଫାସୁତୁରା ଭଲ ଭାବରେ କରିବା ସହିତ ସାଜସଜ୍ଜା କରାଯାଇଛି । ସେହିପରି ବିଭିନ୍ନ ପାର୍କରେ ମଧ୍ୟ ସ୍ୱତନ୍ତ୍ର ସାଜସଜ୍ଜା ସାଙ୍ଗକୁ ସାଂସ୍କୃତିକ କାର୍ୟ୍ୟକ୍ରମ ମାନ ଆରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ସେହିପରି ରାଜଧାନୀର ସମସ୍ତ ଘର ମାଲିକମାନଙ୍କୁ ଗୃହ ସମ୍ମୁଖରେ ସାଜସଜ୍ଜା କରିବା ପାଇଁ ମନ୍ତ୍ରୀ ନିବେଦନ କରିଛନ୍ତି । ଗୃହ ସମ୍ମୁଖ ପରିଷ୍କାର ରଖିବା ସହିତ ଝୋଟି, ଚିତା ପକାଇ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ କରିବା ପାଇଁ କହିଛନ୍ତି । ଏଥି ସହିତ ବଡ଼ ବଡ଼ ମଲ, ପେଟ୍ରୋଲ ପମ୍ପ ଆଦି ମାଲିକମାନେ ମଧ୍ୟ ଆଲୋକ ମାଳାରେ ନିଜ ପ୍ରତିଷ୍ଠାନ ଆଲୋକିତ କରି ସଜେଇବାକୁ ମନ୍ତ୍ରୀ ନିବେଦନ କରିଛନ୍ତି । ସେହିପରି ଭୁବନେଶ୍ୱରକୁ ମଧ୍ୟ ଆହୁରି ସାଜସଜ୍ଜା କରାଯିବ । ବିଭିନ୍ନ ସ୍ଥାନରେ ଆହୁରି ସୁନ୍ଦର ସୁନ୍ଦର ଫୁଲକୁଣ୍ଡ ଆଜି ରାତିସୁଧା ବସିବ ବୋଲି ମନ୍ତ୍ରୀ କହିଛନ୍ତି ।