ଆଜି ୨୪ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରା । ରେଳ ସଂଯୋଗୀକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ ମାଲିକ ସଂଘ । ଏହାର ପ୍ରଭାବରେ ଜିଲ୍ଲାର ସମସ୍ତ ସରକାରୀ କାର୍ୟ୍ୟାଳୟ, ବେସରକାରୀ ସଂସ୍ଥା, ରେଳ ଯୋଗାଯୋଗ ଆଦି ବନ୍ଦ ରହିଛି । ସହରର ସମସ୍ତ ଦାକାନ ବଜାର ବନ୍ଦ ରହିଥିବା ବେଳେ ଯାତାୟତ ମଧ୍ୟ ଠପ ହୋଇଛି । ସ୍ଥାନେ ସ୍ଥାନେ ପିକେଟିଂ କରୁଛନ୍ତି ଟ୍ରକ ମାଲିକ ସଂଘର ସଦସ୍ୟ ।
ଓଏମସି ଶୁଆକାଠି ଠାରୁ ଗୁହାଳଡ଼ିହି ପର୍ୟ୍ୟନ୍ତ ରେଳ ସଂଯୋଗୀକରଣ ହେଲେ କେନ୍ଦୁଝର ଜିଲ୍ଲାରେ ଟ୍ରକ ଉପରେ ନିର୍ଭର କରି ଚଳୁଥିବା ପାଖାପାଖି ୩୦୦୦୦ ଅଧିକ ଟ୍ରକ ମାଲିକ ମାନେ କ୍ଷତିଗ୍ରସ୍ତ ହେବେ । ଏହା ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଜଡି଼ତ ପାଖାପାଖି ୩ ଲକ୍ଷ ଲୋକ ଏହାଦ୍ଵାରା ପ୍ରଭାବିତ ହେବେ । ବିଗତ ଦିନରେ ଦେଖା ଯାଇଥିଲା ୩ ବର୍ଷ ଗାଡି ବନ୍ଦ ହେବା ଫଳରେ କେନ୍ଦୁଝରର ଅର୍ଥନୀତି ପୁରା ପୁରୀ ଭୁଶୁଡି ଯାଇଥିଲା, ତେଣୁ ଆଗକୁ ଯେପରି ଏହାର ପୁନରାବୃତ୍ତି ନହୁଏ ସେନେଇ ଆନ୍ଦୋଳନକୁ ଓହ୍ଲାଇଛି ଜିଲ୍ଲା ଟ୍ରକ ମାଲିକ ସଂଘ ।
ସକାଳୁ ଶତାଧିକ ଟ୍ରକ ମାଲିକ ବିଭିନ୍ନ ସ୍ଥାନରେ ରାସ୍ତାରେ ଟ୍ରକ ଅଟକାଇ ବନ୍ଦ କରିବା ସହ ପିକେଟିଂ ଜାରି ରଖିଛନ୍ତି । ଏହାକୁ ଜନସାଧାରଣ ମଧ୍ୟ ସମର୍ଥନ ଜଣାଇଛନ୍ତି । ଆଜିର ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ମଧ୍ୟ ସମର୍ଥନ ଜଣାଇବା ସହ ବନ୍ଦରେ ସାମିଲ ହୋଇଛନ୍ତି ।