Odia News Portal

ଆଜି ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଆସନ୍ତା ସପ୍ତାହରେ ଓଡ଼ିଆ ନବ ବର୍ଷ ପାଳନ ହେବ । ତେବେ ଏହା ପୂର୍ବରୁ ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ସରିବାକୁ ଯାଉଛି । ନୂଆ ରାଜ୍ୟ କମିଟି ସହ ଜିଲ୍ଲାରେ ବି ଦାୟିତ୍ୱ ନେବେ ବିଜେଡି ନେତା । ନିର୍ବାଚନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏ ନେଇ ଆଜି ଅପରାହ୍ନ ୪ଟା ୩୦ରେ ଶଙ୍ଖ ଭବନରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ଏଆର୍ଓମାନଙ୍କ ବୈଠକ ହେବାକୁ ଯାଉଛି ।

ବିଜେଡି ନେତାମାନେ ପୁଣି ଥରେ ନବୀନ ପଟ୍ଟନାୟକଙ୍କୁ ସଭାପତି ଭାବେ ପାଇବାକୁ ଇଚ୍ଛା ପ୍ରକାଶ କରି ତାଙ୍କ ନେତୃତ୍ୱରେ ସଙ୍ଗଠନକୁ ଆଗେଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଦଳର ସଭାପତି ନିର୍ବାଚନ ସହ କାର୍ଯ୍ୟକାରିଣୀ କମିଟି ସଦସ୍ୟ, ରାଜ୍ୟ ପରିଷଦ (ଷ୍ଟେଟ୍ କାଉନସିଲ) ସଦସ୍ୟ ବି ନିର୍ବାଚିତ ହେବେ । ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଚିଠି କରି ବୈଠକରେ ଉପସ୍ଥିତ ରହିବାକୁ ବିଜେଡିର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଦେବ ଅବଗତ କରିଛନ୍ତି । ଏହି ବୈଠକରେ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଏଆରଓମାନଙ୍କ ତାଲିକା ସହ ଫୋନ ନମ୍ୱର ଓ ଠିକଣା ସହ ପୌର, ପଞ୍ଚାୟତ, ୱାର୍ଡ ସଭାପତି, ବ୍ଳକ ସଭାପତିମାନଙ୍କ ଫୋନ ନମ୍ୱର ଏବଂ ଠିକଣା ଦାଖଲ କରିବେ ।ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଡିଆର୍ଓ ବା ଜିଲ୍ଲା ନିର୍ବାଚନ ଅଧିକାରୀ ନିଯୁକ୍ତ ହୋଇଥିଲେ । ସେମାନେ ଜିଲ୍ଲା ସଭାପତି ନିର୍ବାଚିନ ପ୍ରକ୍ରିୟା ଆଗେଇ ନେଇଛନ୍ତି । ଡିଆର୍ଓ ନିଯୁକ୍ତିର ୧୦ ଦିନ ପରେ ବିଧାନସଭା ନିର୍ବାଚନ ଅଧିକାରୀ ବା ଏଆର୍ଓ ନିଯୁକ୍ତି ପାଇ ପଞ୍ଚାୟତ ଓ ପୌର ସଭାପତି ନିର୍ବାଚନ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି । ଜିଲ୍ଲା ସଙ୍ଗଠକମାନଙ୍କ ସହ ଆଲୋଚନା କରି ଦକ୍ଷ ନେତାଙ୍କୁ ଜିଲ୍ଲା ସଭାପତି କରାଯିବ । ଦଳ ସମ୍ୱିଧାନ ଅନୁସାରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି ବୋଲି ବିଜେଡିର ବରିଷ୍ଠ ନେତା ସୂଚନା ଦେଇଛନ୍ତି ।